ଛିଡୁନି ଘର କଳି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଆବାସ ପ୍ଲସ୍ ପୋର୍ଟାଲ ଖୋଲିବା ପାଇଁ ଦାବି କଲେ ଧର୍ମେନ୍ଦ୍ର । ତେଜିଲା ରାଜନୀତି…

94

କନକ ବ୍ୟୁରୋ: ତୁଟୁନି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସବୁବେଳେ ଲାଗି ରହିଛି ତୁ ତୁ ମେ ମେ । କେନ୍ଦ୍ର ଅନ୍ୟ ରାଜ୍ୟ ପାଇଁ ପୋର୍ଟାଲ ଖୋଲୁଥିବା ବିଜେଡି ବାରମ୍ବାର ଅଭିଯୋଗ କରି ଆସିଛି । ସେପଟେ ଯୋଜନାରେ ରାଜ୍ୟ ସରକାର ଅନିୟମିତତା କରିଥିବା କହି ଆସୁଛି ବିଜେପି । ବିବାଦ ମଧ୍ୟରେ ଓଡ଼ିଶାରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆବାସ ପ୍ଲସ ପୋର୍ଟାଲ ଖୋଲିବାକୁ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଓଡ଼ିଶାରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆବାସ ପ୍ଲସ ପୋର୍ଟାଲ ଖୋଲିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ କହିଥା କଥା…

  • ପ୍ରଧାନମନ୍ତ୍ରୀ ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଭାବେ ସାମିଲ କରାଯାଉ
  • ଅନେକ ଯୋଗ୍ୟ ହିତାଧିକାରୀ ଆବାସ ପ୍ଲସ୍ ପ୍ଲାଟଫର୍ମରୁ ବଞ୍ଚିତ ହୋଇଛନ୍ତି
  • ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଯୋଗ୍ୟ ହିତାଧିକାରୀ ୱେଟିଂ ଲିଷ୍ଟରେ ଥାଇ ମଧ୍ୟ ବାସଗୃହ ପାଇନାହାନ୍ତି
  • ଜଣେ ବି ହିତାଧିକାରୀ ଯେପରି ବଞ୍ଚିତ ନହେବେ ସେ ଦିଗରେ ବ୍ୟାପକ ତଦାରଖ ହେବା ଜରୁରୀ

ଏ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ପତ୍ର ଦେବା ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗିରିରାଜ । ତେବେ ଏହାକୁ ନେଇ ଜୋର ଧରିଛି ରାଜନୀତି । ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଆମେ ଯେଉଁ ଦାବି କରି ଆସୁଥିଲୁ, ସେହି କଥାକୁ ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି । ପଛୁଆ ଜିଲ୍ଲାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ ।

ପଞ୍ଚାୟତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ବଡ଼ ପ୍ରସଙ୍ଗ ପାଲଟିଥିଲା । ବିଜେଡି କହୁଥିଲା, କେନ୍ଦ୍ର ସରକାର ଅନ୍ୟ ରାଜ୍ୟ ପାଇଁ ପୋର୍ଟାଲ ଖୋଲୁଛନ୍ତି, କିନ୍ତୁ ଓଡ଼ିଶା ପାଇଁ ବୈମାତୃକ ମନୋଭାବ ପୋଣଣ କରୁଛି କେନ୍ଦ୍ର । ତେବେ ବିଜେପିର ଯୁକ୍ତି ଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅନିୟମିତତା କରିଛନ୍ତି । ଏପରିକି କେନ୍ଦ୍ରୀୟ ଟିମ୍ ଅନିୟମିତତା ଧରିଥିବା କଥା ରାଜ୍ୟ ବିଜେପି ଅଭିଯୋଗ କରିଥିଲା । ଏହି ବାଦ-ବିଦାଦ ଭିତରେ ବଞ୍ଚିତ ହୋଇଥିବା ୮ ଲକ୍ଷ ହିତାଧିକାରୀ କେବେ ପକାଘର ପାଇବେ, ଏହା ହିଁ ବର୍ତ୍ତମାନର ସବୁଠୁ ବଡ଼ ପ୍ରଶ୍ନ ।