ତାନ୍ତ୍ରିକ ମୌଲାନା କୈଫିର ଆକାଉଣ୍ଟ ହେବ ଯାଞ୍ଚ : ମଙ୍ଗଳାବାଗ ଥାନାରେ ୩ଟି ମାମଲା ରୁଜୁ

191

କନକ ବ୍ୟୁରୋ : ତାନ୍ତ୍ରିକ କୈଫିର ଆକାଉଣ୍ଟ ହେବ ଯାଞ୍ଚ । ଏ ନେଇ ଡିସିପି ସୂଚନା ଦେଇଛନ୍ତି । କୈଫି ନାଁରେ ମଙ୍ଗଳାବାଗ ଥାନାରେ ୩ଟି ମାମଲା ରୁଜୁ ହୋଇଛି । ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବାକୁ ଯୋଜନା ରହିଛି ।

ଚମକ୍ରାରିତା ଦେଖାଇବାକୁ କହି, ଭଦ୍ରକର ଜଣେ ମହିଳାଙ୍କୁ ୫ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ । ଏନେଇ ମହିଳା ଜଣଙ୍କ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବାକୁ ଆସିଥିବା ସୂଚନା ମିଳିଛି । ଠକ କୈଫ ଖାଁ ମଂଗଳାବାଗ ରାଣୀହାଟ ଅଞ୍ଚଳର ଶର୍ମିଳା ସେନ ନାମଙ୍କ ଜଣେ ମହିଳାଙ୍କୁ ୬୨ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ପରେ, ତାଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ମୌଲାନା କୈଫ କେଶରପୁର ଅଞ୍ଚଳର । ଏଥିସହ ତାଙ୍କ ନିକଟରୁ ପୁଲିସ ୫୫ ଲକ୍ଷ ୭୬ ହଜାର ଟଙ୍କାର ସମ୍ପତି ଜବତ କରିଛି ।

ପୋଲିସର ସୂଚନା ଅନୁସାରେ, ଶର୍ମିଳାଙ୍କ ପୁରୁଣା କୋଠାରେ କିଛି ନକରାତ୍ମକ ଶକ୍ତିର ଉପସ୍ଥିତ ଥିବା ଅନୁଭବ କରି, ତାନ୍ତ୍ରିକ କୈଫଙ୍କୁ ଯୋଗାଯୋଗ କରିଥିଲେ । ତାପରେ ତାନ୍ତ୍ରିକ କୈଫ ଖାଁ ଶର୍ମିଳାଙ୍କ ଘରକୁ ଆସିଥିଲେ । ଘର ବୁଲି ଦେଖିବା ପରେ, ଭିତରେ ଏକ ସ୍ପିରିଟି ଥିବାରୁ ଏଭଳି ଘଟୁଥିବା କହିଥିଲେ । ଘର ଭିତରେ କିଛି ବସ୍ତୁ ପୋତି ହୋଇ ରହିଥିବା କହିଥିଲେ । ତାପରେ ଘର ଭିତର ଖୋଳିବା ଆରମ୍ଭ ହୋଇଥିଲା ।

ଖୋଳିବା ପରେ, ମାଟି ତଳୁ କିଛି ବସ୍ତୁ ବି ବାହାରିଥିଲା । ଆଉ ସେହି ସବୁ ବସ୍ତୁ ମୂଲ୍ୟବାନ କହିବା ସହ ଶୁଦ୍ଧି କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ୬୨ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କୈଫକୁ ଗିରଫ କରି ପଚରାଉଚୁରା କରିବା ପରେ ସତ ପଦାକୁ ଆସିଛି । ଏଥିସହ ପୋଲିସ ଅଭିଯୁକ୍ତର ଦୁଇଟି କାର, ବୁଲେଟ୍ ସମେତ ପ୍ରାୟ ୫୬ଲକ୍ଷ ଟଙ୍କାର ସମ୍ପତି ଜବତ କରିଛି ।