ମଦ ଆଗ ଖାଦ୍ୟ ପଛ? କଟକରେ ସରକାରଙ୍କ ବିଚିତ୍ର ନିୟମ।

313

କନକ ବ୍ୟୁରୋ: ରାତିରେ ମଦ ଅଛି ଖାଦ୍ୟ ନାହିଁ । କଟକରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ରାତି ୧୦ ପରେ ମିଳୁନି ଖାଦ୍ୟ । କାରଣ ହୋଟେଲ ବନ୍ଦ ହୋଇଯାଉଛି । ହେଲେ ରାତି ଦେଢ଼ଟା ଯାଏଁ ମଦ ଦୋକାନ ଖୋଲା ରହୁଛି, ଆଉ ମଦର ଆସର ଜମୁଛି । କଟକରେ ଓଡିଶା ସହରାଞ୍ଚଳ ପୋଲିସ ଆଇନ୍ (ଓୟୁପି) ୨୦୦୩ର ଧାରା ୨୮ ଅନୁଯାୟୀ ରାତି ୧୦ ପରେ ହୋଟେଲ ବନ୍ଦ ହୋଇଯାଉଛି । ନିୟମ କଡାକଡି ହୋଇଥିବାରୁ ପୋଲିସ ମଧ୍ୟ କଡା ପାଟ୍ରୋଲିଂ କରୁଛି । ଜୋରିମାନା ଏବଂ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନକୁ ଡରି ହୋଟେଲ ଏବଂ ଅନ୍ୟ ବ୍ୟବସାୟିକ ଦୋକାନ ବନ୍ଦ ହୋଇଯାଉଛି । ତେଣୁ ଏସସିବି ମେଡିକାଲକୁ ହେଉ ଅବା ରାତିରେ ଟ୍ରେନରୁ ଓହ୍ଲାଇଲେ କିମ୍ବା ଅନ୍ୟ କାମ ପାଇଁ ବାହାରୁ ଆସୁଥିବା ଲୋକେ ଖାଇବାକୁ ନପାଇ ହଇରାଣ ହେଉଛନ୍ତି । ଅନ୍ୟପଟେ ରାତି ଗୋଟାଏ ଯାଏ ମଦ ଦୋକାନ ଏବଂ ବାର ଖୋଲିବାକୁ ଅନୁମତି ରହିଛି । ଯଦି ମଦ ଦୋକାନ ଖୋଲାଯାଇପାରୁଛି ତାହେଲେ କାହିଁକି ହୋଟେଲ ଖୋଲାନଯିବ ବୋଲି ଏବେ ପ୍ରଶ୍ନ ଉଠିଛି । ଅବକାରୀ ବିଭାଗ ନିୟମ ଅନୁଯାୟୀ ରାତି ସାଢେ ଗୋଟାଏ ଯାଏ ସହରାଞ୍ଚଳରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ଅନୁମତି ଥିବାରୁ ବଡ଼ ବିଚିତ୍ର ସ୍ଥିତି ସୃଷ୍ଟି କରିଛି ।

କଟକ ସହରରେ କଟକ ବଡ଼ ଡାକ୍ତରଖାନା, ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସମେତ ବଡ଼ ବଡ ହସ୍ପିଟାଲ ରହିଥିବାରୁ ରାତି ଅଧ ଯାଏ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କର ବିଭିନ୍ନ ଆବଶ୍ୟକତା ରହୁଛି । ଏହାସହିତ କଟକ ରେଳଷ୍ଟେସନ ଏବଂ ବାଦାମବାଡି ବସଷ୍ଟାଣ୍ଡ ଯୋଗୁଁ ଲୋକେ ଏଠି ବିଳମ୍ବିତ ରାତି ଯାଏ ଚଳପ୍ରଚଳ ହୁଅନ୍ତି । କିନ୍ତୁ ରାତି ୧୦ ଟପିଲେ ସହରରେ ହୋଟେଲ ବନ୍ଦ ହୋଇଯିବା ଘଟଣା ସମସ୍ୟାର କାରଣ ହେଉଛି । ଅନ୍ୟପଟେ ଠିପି ଖୋଲା ମଦ ଦୋକାନ ମାସିକ ଏକ ଲକ୍ଷ ୮ ହଜାର ଟଙ୍କା ଲାଇସେନ୍ସ ଫି ଅବକାରୀ ବିଭାଗରେ ଜମା କରୁଥିବାରୁ ସେମାନଙ୍କ ପାଇଁ ଭିନ୍ନ ନିୟମ କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ ଆଦାୟ ଲୋଭରେ ମଦ ପ୍ରତି ଦୃଷ୍ଟି ଦିଆଯାଉଥିବା ବେଳେ ଖାଦ୍ୟ ପ୍ରତି ଅଣଦେଖା କରିବା ଅବାସ୍ତବ ଆଉ ଅଯୌକ୍ତିକ ବୋଲି ମତ ପ୍ରକାଶ ପାଇଛି ।