ବାତ୍ୟା ନେଇ ଛାନିଆ ଚାଷୀ, ସମୁଦ୍ରକୂଳକୁ ଫେରିଆସୁଛନ୍ତି ମତ୍ସ୍ୟଜୀବୀ।

93

କନକ ବ୍ୟୁରୋ: ବାତ୍ୟା ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ, ଛାନିଆ ହୋଇପଡିଛନ୍ତି ଚାଷୀ । ବାତ୍ୟାର ପ୍ରଭାବ କେତେ ହେବ କାହାକୁ ଜଣାନଥିଲେ ବି ପ୍ରବଳ ବର୍ଷା ଆଶଙ୍କା ଭୟକୁ ବଢ଼ାଇ ଦେଇଛି । ଆଉ ବର୍ଷା ହେବା ପୂର୍ବରୁ ସତର୍କତା ମୂଳକ ଭାବେ ଚାଷୀ ଧାନ ଫସଲକୁ କାଟି ନେଉଛନ୍ତି । ଧାନ ଅଧା ପାଚିଥିଲେ ବି ବର୍ଷା ହେଲେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଭୟରେ, ଆଗୁଆ କାଟି ସୁରକ୍ଷିତ ସ୍ଥାନକୁ ନେବାକୁ ଉଦ୍ୟମ କରିଛନ୍ତି ଚାଷୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ଫନି ଓ ଫାଇଲିନ୍ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଅଂଚଳର ଚାଷୀ ଆଉ ଏକ ବାତ୍ୟା ନାଁ ଶୁଣି ଭୟଭୀତ ହୋଇପଡିଛନ୍ତି । ତେଣୁ ବାତ୍ୟା ଆସିବା ଆଗରୁ ଯେତିକି ହେଉ ପଛେ ଅମଳ କରି ନେବାକୁ ଉଦ୍ୟମ ଚଳାଇଛନ୍ତି ।

ବାତ୍ୟା ଖବର ପାଇ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀ ଏବେ କୂଳକୁ ଫେରିଆସୁଛନ୍ତି । ସମ୍ଭାବ୍ୟ ବାତ୍ୟା କଥା ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସୁଛନ୍ତି । ବାତ୍ୟା ହେଲେ ଯେମିତି ଡଙ୍ଗା ଓ ଜାଲ ସୁରକ୍ଷିତ ରହିବ ସେଥିପାଇଁ ସୁରକ୍ଷିତ ସ୍ଥାନକୁ ନେଇ ରଖିବାର ବ୍ୟବସ୍ଥା କରୁଛନ୍ତି । ପୂର୍ବରୁ ହୋଇଥିବା ଫନି, ଫାଇଲିନ ଭଳି ବାତ୍ୟାର କ୍ଷୟକ୍ଷତି ଆଜି ପର୍ଯ୍ୟନ୍ତ ଭରଣା ହୋଇନଥିବାବେଳେ, ଆଉ ଏକ ବାତ୍ୟା ସମ୍ଭାବନା ମତ୍ସଜୀବୀଙ୍କ ନିଦ ହଜାଇ ଦେଇଛି । ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିବା ସହ ୨୨ତାରିଖରୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରିଛି ।