୨୪ବର୍ଷ ପରେ ବଦଳିଲା ଇତିହାସ, କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ

90

କନକ ବ୍ୟୁରୋ : ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସକୁ ବୁଧବାର ମିଳିଛି ନୂଆ ସଭାପତି । ଦଳର ସଭାପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ଅକ୍ଟୋବର ୧୭ରେ ହୋଇଥିବା ନିର୍ବାଚନର ଫଳାଫଳ ୧୯ରେ ଆସିଛି ଓ ଖଡ୍ଗେ ହୋଇଛନ୍ତି ଦଳର ନୂଆ ସଭାପତି । ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ହୋଇଥିଲା ମୁକାବିଲା । ନିର୍ବାଚନରେ ମୋଟ ୯,୩୮୫ ଭୋଟ ପଡିଥିଲା । ଯେଉଁଥିରେ ଖଡଗେଙ୍କୁ ୭୮୯୭ ଭୋଟ, ଓ ଥରୁରଙ୍କୁ ୧୦୭୨ଭୋଟ ମିଳିଛି । ଏଥିସହ ୪୧୬ଭୋଟ ଖାରଜ ହୋଇଛି । ନିର୍ବାଚନରେ ୯୬ ପ୍ରତିଶତ ମତଦାନ ହୋଇଥିଲ।।

ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଳାଉଥିଲେ ବି -ଦଳକୁ ସାଂଗଠନିକ ସ୍ତରରେ ମଜବୁତ କରିବା ପାଇଁ ବରିଷ୍ଠ ନେତାମାନେ ଦଳର ନୂଆ ସଭାପତି ପାଇଁ ବେଶ କିଛି ଦିନ ହେବ ଦାବି କରି ଆସୁଥିଲେ । କେବଳ ସେତିକି ନୁହେଁ ବିଭି୍ନ୍ନ ସମୟରେ ଦଳର କନ୍ଦଳ ମଧ୍ୟ ପଦାକୁ ପଡିଥିଲା । ପରିବାରବାଦ ରାଜନୀତିକୁ ନେଇ କଂଗ୍ରେସ ସବୁବେଳେ ସମାଲୋଚିତ ହୋଇ ଆସୁଥିଲା । ଅନ୍ୟପଟେ କଂଗ୍ରେସ ମଙ୍ଗ ଧରିବା ପାଇଁ ଅମଙ୍ଗ ହେବା ସହ ରାହୁଲ ଗାନ୍ଧୀ ସଫା ସଫା କହିଥିଲେ କି ଏଥରକ ଜଣେ ଅଣଗାନ୍ଧୀ ହିଁ କଂଗ୍ରେସର ସଭାପତି ହେବେ । ଏହା ଭିତରେ ଖଡଗେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି

କଂଗ୍ରେସର ସଭାପତି ଇତିହାସ
• କଂଗ୍ରେସର ୬୫ତମ ସଭାପତି ଭାବେ ଖଡଗେ ନିର୍ବାଚିତ
• ୨ୟ ଦଳିତ ନେତା ଭାବେ କଂଗ୍ରେସର ସଭାପତି ହୋଇଛନ୍ତି
• ବାବୁ ଜଗଜୀବନ ପ୍ରଥମ ଦଳିତ ଭାବେ କଂଗ୍ରେସ ସଭାପତି ଥିଲେ
• ୪୨ବର୍ଷ ଧରି ଗାନ୍ଧୀ ପରିବାର ପାଖରେ ରହିଥିଲା ସଭାପତି ପଦ
• ୩୩ ବର୍ଷ ଧରି ଅଣଗାନ୍ଧୀ ନେତାଙ୍କ ନିକଟରେ ସଭାପତି ପଦ ରହିଥିଲା
• ୨୨ବର୍ଷ ସଭାପତି ଡୋର ସୋନିଆଙ୍କ ହାତରେ ରହିଥିଲା
• ୧୯୯୮ ମସିହାରେ ଶେଷ ଥର ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା
• ସୋନିଆ ଗାନ୍ଧୀ କଂଗ୍ରେସର ସଭାପତି ହେବା ପରେ କୌଣସି ନିର୍ବାଚନ ହୋଇନି
• ରାହୁଲ ଗାନ୍ଧୀ ସଭାପତି ପାଇଁ ଅମଙ୍ଗ ହେବାରୁ ନିର୍ବାଚନ ହେଲା

୨୪ବର୍ଷ ପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାର ବାହାରୁ ଜଣେ ନେତା କଂଗ୍ରେସ ନେତୃତ୍ୱ ନେଇଛନ୍ତି । ଏହା ପୂର୍ବରୁ ସୀତରାମ କେସରୀ ଅଣଗାନ୍ଧୀ ନେତାଭାବେ କଂଗ୍ରେସର ସଭାପତି ଦାୟିତ୍ୱ ନେଇଥିଲେ ।