ବିଧାନସଭାରେ ଆଜି ବି ଉଠିପାରେ ଚାଷୀ ପ୍ରସଙ୍ଗ : ସରଗରମ ହୋଇପାରେ ଗୃହ

50

କନକ ବ୍ୟୁରୋ : ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଆଜି ବି ଚାଷୀ ପ୍ରସଙ୍ଗରେ ସରଗରମ ହୋଇପାରେ ଗୃହ । ଉଭୟ ବିଜେପି ଓ ବିଜେଡି ଚାଷୀ ପ୍ରସଙ୍ଗରେ ହଙ୍ଗାମା କରୁଛନ୍ତି । ଗତକାଲି ଚାଷୀ ପ୍ରସଙ୍ଗରେ ଚାଲି ପାରିନଥିଲା ଗୃହ । ବିଧାନସଭାରେ ହଙ୍ଗାମା ପରେ ଏମଏସପି ବୃଦ୍ଧି ଦାବିରେ ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ବିଜେଡି ବିଧାୟକ । ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ଫସଲ ବୀମା, ଇନପୁଟ୍ ସବସିଡ ଓ ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ବିକ୍ଷୋଭ କରିଥିଲା । ବିଜେପି ମଧ୍ୟ ବିଧାନସଭାରେ ହୋହଲ୍ଲା କରିବା ପରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲା । ତେଣୁ ଆଜିର ଗୃହକାର୍ଯ୍ୟ କିପରି ରହିବ ତାଉପରେ ନଜର ରହିବ ।

ପ୍ରଥମଦିନ ନାଗ ଦମ୍ପତି ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ ହୋଇଥିଲା । ଶୁକ୍ରବାର ଦ୍ବିତୀୟ ଦିନରେ ଚାଷୀ ଝଡ଼ ବହିଛି । ଉଭୟ ବିରୋଧୀ ଓ ଶାସକଙ୍କ ପଟୁ ଏହି ଝଡ଼ ଏପରି ବହିଥିଲା ଯେ ଗୃହ କାର୍ଯ୍ୟ ମାତ୍ର ୧୨ ମିନିଟ୍‌ରେ ସୀମିତ ରହିଗଲା । କେନ୍ଦ୍ର ସରକାର ଚାଷୀଙ୍କୁ ଅବହେଳା କରୁଛି ବୋଲି ଶାସକ ବିଜେଡି ବିଧାୟକମାନେ ଅଭିଯୋଗ କରିଥିଲେ । ରାଜ୍ୟ ସରକାରଙ୍କୁ ପାଲଟା ଆକ୍ରମଣ କରିଥିଲେ ବିଜେପି ସଭ୍ୟ । ତେବେ କଂଗ୍ରେସ ସଭ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍‌ କରି ବିଜେପି, ବିଜେଡିକୁ ଚାଷୀଙ୍କ ଶତ୍ରୁ ବୋଲି ଆଖ୍ୟା ଦେଇଥିଲେ । ତିନି ଦଳର ହୋହଲ୍ଲାରେ ଗୃହ କମ୍ପିଥିଲା । ଦିନତମାମ କୌଣସି କାର୍ଯ୍ୟ ହୋଇ ପାରିନଥିଲା ।