ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ୱିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା : ରହିଛି ୧୩୪୮ ପ୍ରକାର ପ୍ରଜାତିର ଉଦ୍ଭିଦ

251

କନକ ବ୍ୟୁରୋ : ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ୱିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ମିଳିଛି । ମହେନ୍ଦ୍ରଗିରିକୁ ରାମାୟଣ ଓ ମହାଭାରତ ଯୁଗ ସହ ଜଡିତ ପ୍ରକୃତିର ଅନନ୍ୟ ସୃଷ୍ଟି ବୋଲି କହିଛି ଜଙ୍ଗଲ ଓ ପରିବେଶ ବିଭାଗ । ବିଶ୍ୱରେ ଯେତିକି ପ୍ରଜାତିର ଉଦ୍ଭିତ ଅଛନ୍ତି, ସେଥିରୁ ପ୍ରାୟ ୪୦ପ୍ରତିଶତ ପ୍ରଜାତି ଏଠାରେ ରହିଛନ୍ତି । ପ୍ରାୟ ୧୩୪୮ ପ୍ରଜାତିର ଉଦ୍ଭିଦ ମହେନ୍ଦ୍ରଗିରିରେ ରହିଛି ।

ମହେନ୍ଦ୍ରଗିରିରେ ଏମିତି ୫ଟି ପ୍ରଜାତିର ଗଛ ରହିିଛି, ଯାହା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ନାହିଁ । ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ଗଜପତି ଜିଲ୍ଲାର ରାୟଗଡା ବ୍ଲକରେ ରହିଛି । ଜୈବବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଲାଗି ରାଜ୍ୟ ଜୈବ ବିବିଧତା ବୋର୍ଡ ପକ୍ଷରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗକୁ ପ୍ରସ୍ତାବ ପଠାଯାଇଥିଲା । ଯାହାକୁ ବିଭାଗ ପକ୍ଷରୁ ମୋହର ଲଗାଯାଇଛି ।

ରାଜ୍ୟ ଜୈବ ବିବିଧତା ବୋର୍ଡର ନିୟାମବଳୀର ସମସ୍ତ ସର୍ତକୁ ମହେନ୍ଦ୍ରଗିରି ପୂରଣ କରୁଥିବାରୁ ତାହାକୁ ଜୈବ ବବିଧତା ଐତିହ୍ୟସ୍ଥଳୀ  ଭାବେ ଘୋଷଣା କରାଯାଇଛି । ୨ଟି ସଂରକ୍ଷିତ ଜଙ୍ଗଲ  ଇଡୋନଗିରି ଓ ମହେନ୍ଦ୍ରଗିରିର ୪୨୫୦ ହେକ୍ଟର ଅଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳୀରେ ସାମିଲ କରାଯାଇଛି । ପୂର୍ବରୁ କନ୍ଧମାଳ ଜିଲ୍ଲାର ମଣ୍ଡାସାରୁକୁ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ଦିଆଯାଇଥିଲା ।