ମହଙ୍ଗା ପଡିଲା ଓଡିଶା ବନ୍ଦ ବେଳେ ଗଣ୍ଡଗୋଳ ! ଗିରଫ ହୋଇ ଜେଲ ଗଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

25

କନକ ବ୍ୟୁରୋ : ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଗିରଫ କରିଛି ପୁଲିସ । ତାଙ୍କ ପୁଅଙ୍କୁ ମଧ୍ୟ ଅଟକ ରଖିଛି ପୁଲିସ । ଗତକାଲି ବନ୍ଦ ପାଳନ ପିପିଲିରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ କର୍ମୀ । ବନ୍ଦ ପାଳନକୁ ନେଇ ଉଭୟ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଥିଲେ । ଏହି ସମୟରେ ଉଭୟ ବାପା-ପୁଅ ଭାରତୀୟ ଜନତା ପାର୍ଟିର ଭାବି ବିଧାୟକ ପ୍ରାର୍ଥୀ କୁହାଯାଉଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିଲେ। କଂଗ୍ରେସ ପକ୍ଷରୁ ହୋଇଥିବା ଏହି ଆନ୍ଦୋଳନରେ ଦଳୀୟ କର୍ମୀମାନେ ବିଜେପି କର୍ମୀଙ୍କ ସହିତ ଗଣ୍ଡଗୋଳ କରିଥିଲେ। ଏନେଇ ପିପିଲି ଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳପୁର ଛକରେ ଗୁରୁତର ଭାବରେ ଆହତ ଆଶ୍ରିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ରାଜପଥରେ ଠେଙ୍ଗା ବାଡି ଧରି ଦୋକାନ ବଜାର ଭଙ୍ଗାରୁଜା କରିଥିଲେ କଂଗ୍ରେସ କର୍ମୀ । ବିଜେପି କର୍ମୀଙ୍କ ସହ ଧସ୍ତାଧସ୍ତି ହେବା ପରେ ସେଠାରେ ଥିବା ଦୋକାନ ବଜାରରେ ଭଙ୍ଗାରୁଜା କରିଥିଲେ । କିଛି ସମୟ ଧରି ରଣକ୍ଷେତ୍ରରେ ପରିଣତ ହୋଇଥିଲା ରାଜପଥ ।

ଆଶ୍ରିତ ପଟ୍ଟନାୟକ ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୭ ଅନୁଯାୟୀ ୩୫/୧୮ରେ ଏକ ମାମଲା ରୁଜୁ କରି ବାପା ପୁଅଙ୍କୁ ଗିରଫ କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବାପା ପୁଅଙ୍କୁ ଆଜି ପିପିଲିସ୍ଥିତ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା।