ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସୂଚନା । ପାଇକ ବିଦ୍ରୋହ ନୁହେଁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ।

167

କନକ ବ୍ୟୁରୋ: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିବା ପରେ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ୧୮୧୭ରେ ଓଡ଼ିଶାରେ ବ୍ରିଟିଶରାଜ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ ପାଇକ । ଦୁଃଖର କଥା କିନ୍ତୁ ଏହି ବଳିଦାନକୁ ମାନ୍ୟତା ଦେବାକୁ କୁୁଣ୍ଠିତ ହେଉଛନ୍ତି ଆଉ ଏହାକୁ ନେଇ ପାଇକ ସଂଘ କହିଛି, ଏହାକୁ ମାନ୍ୟତା ନଦେଲେ ଆଉ ଏକ ସଂଗ୍ରାମ ଆରମ୍ଭ ହେବ ।

ଓଡ଼ିଶାର ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବକୁ ଉଦଘାଟନ କରି ତକ୍ରାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଥିଲେ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଶସ୍ତ୍ର ସଂଗ୍ରାମ ହୋଇଥିଲା । ଏହା ବ୍ରିଟିଶରାଜ ବିରୋଧରେ ଭାରତର ପ୍ରଥମ ସଶସ୍ତ୍ର ସଂଗ୍ରାମ । ଏହାପରେ ତକ୍ରାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଥିଲେ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯିବ । ପାଠ୍ୟ ପୁସ୍ତକରେ ମଧ୍ୟ ଏହାକୁ ସାମିଲ କରାଯିବ ।

ରାଜ୍ୟସଭାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି, କିଶନ ରେଡ୍ଡୀଙ୍କ ଉତ୍ତରକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି

ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନ 

  • ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ କେନ୍ଦ୍ର ନିକଟରେ ପଡ଼ିରହିଛି କି?
  • କେବେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବେ କେନ୍ଦ୍ର ସରକାର? କେବେ ସହିଦ ଜୟୀ ରାଜଗୁରୁ ଓ ଅନ୍ୟ ବୀର ପାଇକଙ୍କୁ ମିଳିବ ସମ୍ମାନ?

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଉତ୍ତର 

  • ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବ ମିଳିଛି
  • ଇଣ୍ଡିଆନ୍ କାଉନସିଲ ଅଫ୍ ହିଷ୍ଟୋରିକାଲ୍ ରିସର୍ଚ୍ଚ ଏହାର ଯାଞ୍ଚ କରିଛି
  • ଆଇସିଏଚଆର ଅନୁସାରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କହିହେବନି
  • ବ୍ରିଟିଶ ରାଜ ବିରୋଧରେ ଏହା ଅନ୍ୟତମ ଲୋକପ୍ରିୟ ବିଦ୍ରୋହ ଥିଲା
  • ଏହାକୁ ଏକ ‘କେସ୍ ଷ୍ଟଡି’ ଭାବେ ନିଆଯିବା ପାଇଁ ନିଷ୍ପତି ହୋଇଛି
  • ଏନସିଇଆରଟି ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ

ଦେଶର ସ୍ୱାଧୀନତା ସଂଗ୍ରାମରେ ପାଇକମାନଙ୍କ ତ୍ୟାଗ ଓ ବଳିଦାନକୁ ନେଇ ଓଡ଼ିଆ ଜାତି ଗର୍ବ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ କ୍ଷୁବ୍ଧ କରିଛି ।