ହଠାତ୍ ଓଡ଼ିଶାରେ କମିଗଲା ଇଲିସି ମାଛର ଭାଉ : ୨ହଜାରରୁ ସିଧା ଖସିଲା ୨ଶହ

44

କନକ ବ୍ୟୁରୋ : ମାତ୍ର ତିନି ଦିନ ତଳେ ଇଲିସି କହୁଥିଲା ମୋତେ ଛୁଅଁନା । ଇଲିସି ବଜାରରେ ଲାଗିଥିଲା ନିଆଁ । କିନ୍ତୁ ଏବେ ସମ୍ପୂର୍ଣ୍ଣ ଓଲଟା । ଇଲିସି ଦର ପୁରା କମି ଯାଇଛି । କିଲୋ ପିଛା ସିଧା ଅଢ଼େଇ ହଜାରରୁ ଦୁଇ ଶହ ଟଙ୍କାକୁ ଖସି ଆସିଛି । ଇଲିସି କିଣିବାକୁ ବଜାରରେ ଲାଗିଛି ଗହଳି । ସେପଟେ ଚାନ୍ଦବାଲି ଅଂଚଳରେ ପଚିସଢି ଯାଉଛି କୁଂଟାଲ କୁଂଟାଲ ଇଲିସୀ ।

ସପ୍ତାହକ ତଳେ ଇଲିସି ମାଛ କେଜି ପିଛା ଦୁଇ ହଜାରରୁ ଅଢେଇ ହଜାର ଟଙ୍କାରେ ବିକ୍ରି ହେଉଥିଲା । ଲୋକେ ଇଲିସି ଖାଇବାକୁ ମନ ବଳାଉଥିଲେ ମଧ୍ୟ ଦାମ ଦେଖି ଫେରି ଆସୁଥିଲେ । କିନ୍ତୁ ଏବେ କମିଛି ଇଲିସିର ଭାଉ । କିଲୋ ପିଛା ସିଧା ଦୁଇ ଶହ ଟଙ୍କାକୁ ଖସି ଆସିଛି ଦର । ୨ – ୩ ଦିନ ହେଲା ଅଧିକ ପରିମାଣରେ ଇଲିସି ସୁମଦ୍ରରୁ ଧରାଯିବା ପରେ ଏହାର ଦାମ କମିଥିବା ଜଣାପଡିଛି । ପାରାଦୀପ ବାଲିପ୍ଲଟରେ ଇଲିସି କିଣିବାକୁ ଏବେ ଲୋକମାନଙ୍କ ଭିଡ, ରାସ୍ତାଘାଟ ପୂରା ଜାମ ।

ସେପଟେ ଭଦ୍ରକ ଚାନ୍ଦବାଲି ଅଂଚଳରେ ଇଲିସିର ଅଭାବୀ ବିକ୍ରି । କୁଇଂଟାଲ କୁଇଂଟାଇ ଇଲିସି ଧରୁଛନ୍ତି ମତ୍ସ୍ୟଜୀବୀ । ତେବେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ବରଫ ଅଭାବରୁ ସାଇତି ରଖିନପାରି ପ୍ରଚୁର ମାଛକୁ ସମୁଦ୍ରରେ ଫିଙ୍ଗିଦେଇଛନ୍ତି ମତ୍ସ୍ୟଜୀବୀ । କେତେକ ସ୍ଥାନରେ ଇଲିସିକୁ କାଉ କୁକୁର ମଧ୍ୟ ଖାଉଥିବାର ଦେଖିବାକୁ ମିଳିଛି । ଧାମରା ଅଂଚଳର ବିଦ୍ୟୁତ ସମସ୍ୟା ଯୋଗୁଁ ଆବଶ୍ୟକୀୟ ବରଫ ମିଳୁନଥିବା ଅଭିଯୋଗ ହୋଇଛି । ଶସ୍ତାରେ ମିଳୁଥିବାରୁ ଏହି ସୁଆଦିଆ ମାଛ କିଣିବା ପାଇଁ ଦୂରଦୁରାନ୍ତରୁ ଛୁଟି ଆସୁଛନ୍ତି ଗ୍ରାହକ ।