ଅର୍ଚ୍ଚନା ନାଗଙ୍କୁ ବାନ୍ଧିଲା ଇଡି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ସେକସନ୍ -୧୯ ବଳରେ ଗିରଫ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ।

166

କନକ ବ୍ୟୁରୋ: ଅର୍ଚ୍ଚନାଙ୍କୁ ଗିରଫ କଲା ଇଡି । ରୁଜୁ ହେଲା ଆର୍ଥିକ ଅନିୟମିତତା ମାମଲା । ରିମାଣ୍ଡରେ ନେଇ ୭ଦିନର ପଚରାଉଚୁରା ପରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି ଇଡି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ସେକସନ୍-୧୯ ବଳରେ ତାଙ୍କୁ ଗିରଫ କରାଯାଇଛି । ତଦନ୍ତରେ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଆଦୌ ସହଯୋଗ କରୁନଥିବା ଅର୍ଚ୍ଚନାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ କରିବା ପରେ, ତାଙ୍କୁ ବାନ୍ଧିଛି ଏହି ଜାତୀୟ ତଦନ୍ତକାରୀ ସଂସ୍ଥା । ବିଶେଷ କରି ଅର୍ଚ୍ଚନା ଆର୍ଥିକ ଅନିୟମିତତା କରିଥିବାର ପ୍ରମାଣ ତଦନ୍ତକାରୀ ଅଧିକାରୀଙ୍କ ହାତରେ ଲାଗିଛି ।

ଅନ୍ୟପଟେ ଇଡି ହେପାଜତରୁ କୋର୍ଟ ଯାଉଥିବା ସମୟରେ ପୁଣି ଥରେ ବଡ ସୁରାକ ଆଡକୁ ଇଙ୍ଗିତ କରିଛନ୍ତି ଅର୍ଚ୍ଚନା । ସିଧାସଳଖ ଗଣମାଧ୍ୟମକୁ କିଛି କହି ନଥିଲେ ମଧ୍ୟ କହିଛନ୍ତି, ମୋତେ କୋ-ଅପରେଟ୍ କରନ୍ତୁ ମୁଁ ଆସିଲେ କହିବି ।

ଗିରଫ ହୋଇଥିବା ଅର୍ଚ୍ଚନାଙ୍କୁ ପୁଣି ଜେରା କରିବାକୁ ରିମାଣ୍ଡରେ ନେବ ଇଡି । ଏହା ସହିତ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ ଇଡି ପ୍ରସ୍ତୁତ ହୋଇଛି । ସ୍ୱାମୀ-ସ୍ତ୍ରୀଙ୍କୁ ଇଡି ହେପାଜତରେ ରଖି ମୁହାଁମୁହିଁ ଜେରା କରିବାକୁ ଯୋଜନା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ରିମାଣ୍ଡର ଶେଷ ଦିନରେ ଇଡି କାର୍ଯ୍ୟାଳୟରେ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗ ଓ ତାଙ୍କ ପୁଅ ତାଙ୍କୁ ଭେଟିଥିଲେ । କୋର୍ଟଚାଲାଣ ପୂର୍ବରୁ ବାପା ଓ ପୁଅଙ୍କ ସହ କିଛି ସମୟ କାଟିଥିଲେ ଅର୍ଚ୍ଚନା । ତେବେ ପ୍ରଶ୍ନ ଉଠୁଛି,
– ଗଣମାଧ୍ୟମ ଆଗରେ ଗର୍ଜୁଛନ୍ତି, ଇଡି ଆଗରେ କାହିଁକି ଚୁପ୍ ଅର୍ଚ୍ଚନା?
– ମୁହଁ ନଖୋଲି କାହାକୁ ବଂଚାଇବାକୁ ଚାହୁଁଛନ୍ତି ଅର୍ଚ୍ଚନା?
– ସ୍ୱାମୀ-ସ୍ତ୍ରୀଙ୍କୁ ରିମାଣ୍ଡରେ ନେଇ କେଉଁ ତଥ୍ୟ ହାସଲ କରିବାକୁ ଚାହୁଁଛି ଇଡି?
– ବଡ ବଡିଆଙ୍କ ସମ୍ପୃକ୍ତି ନେଇ ଇଡିକୁ ପ୍ରମାଣ ମିଳିଯାଇଛି କି?
– ଅର୍ଚ୍ଚନାଙ୍କ ପରେ ଏବେ ଆଉ କାହା ପାଳି?

କାହା ଛତ୍ରଛାୟା ତଳେ ରହି ଓ କାହାର ବାହୁ ବଳରେ ନାଗ ସାମ୍ରାଜ୍ୟ ବଳିୟାନ ହୋଇଥିଲା ସେମାନଙ୍କ ମୁଖା ଖୁବ୍ ଶୀଘ୍ର ଖୋଲିବ ବୋଲି ସୂଚନା ମିଳିଛି ।