ଚୀନ ସେନା ସୀମା ଟପିବା ପରେ ସଜାଗ ହେଲା ଭାରତୀୟ ସେନା। ସୀମାରେ ମୁତୟନ ହେଲା ଲଢ଼ୁଆ ବିମାନ। 

103

କନକ ବ୍ୟୁରୋ:  ଏଲଏସିରେ ଚୀନ ସେନାର ଉତ୍ପାତ ପରେ ଭାରତୀୟ ସେନା ସଜାଗ ହୋଇଛି । ସୀମାରେ ମୁତୟନ କରିଛି ଲଢ଼ୁଆ ବିମାନ । ଡ୍ରାଗନ ସେନାର ଗତିବିଧି ଉପରେ ନଜର ରଖିବା ସହ ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲ ପାଇଁ ଆକାଶରେ ପଇଁତରା ମାରୁଛି । ପ୍ରକୃତ ନିୟନ୍ତ୍ରଣ ରେଖାର ନିକଟରେ ରହି ଚକର କାଟୁଛି ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ।

ଭାରତ-ଚୀନ ସୀମା ଏଲଏସିକୁ ଲାଗିକରି ଥିବା, ଅରୁଣାଚଳ ପ୍ରଦେଶର  ଏହି ଅଂଚଳକୁ ଚାଲି ଆସିଥିଲେ ପ୍ରାୟ ୩ଶହ ଚୀନ ସେନା । ୧୭ହଜାର ଫୁଟ ଉଚ୍ଚରେ ଥିବା ଏହି ଅଂଚଳରେ ଭାରତୀୟ ସେନାର ଟେଂଟକୁ ଭାଂଗି ଫୋପାଡି ଦେବାକୁ ଉଦ୍ୟମ କରିଥିଲେ । ଚୀନ ସେନାର ଏଭଳି ଉଦ୍ୟମକୁ କଡା ଜବାବ ଦେଇଥିଲେ ଭାରତୀୟ ଯବାନ । କିଛି ସମୟ ଉଭୟ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଶେଷରେ ଭାରତୀୟ ଯବାନଙ୍କ ପ୍ରବଳ ବିରୋଧ ଆଗରେ ମୁଣ୍ଡ ନୁଆଁଇଁ ନିଜ ଠକଣାକୁ ଫେରିଯାଇଥିଲେ ଚୀନ ସେନା । କିନ୍ତୁ ଏହି ସଂଘର୍ଷରେ ଭାରତର ୬ଜଣ ସେନା ଆହତ ହୋଇଥିବାବେଳେ, ଚୀନର ୧୨ରୁ ଅଧିକ ସେନା ଆହତ ହୋଇଥିବା ଜଣାପଡିଛି । ଏନେଇ ସଂସଦରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ଏଲଏସିରେ ଭାରତ ଓ ଚୀନ ସେନା ମଧ୍ୟରେ ଘଟିଥିବା ସଂଘର୍ଷକୁ ନେଇ ସଂସଦରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସବୁ ପ୍ରସଙ୍ଗ ଛାଡି ପ୍ରଥମେ ସୀମା ବିବାଦ ଉପରେ ଆଲୋଚନା କରିବାକୁ ଦାବି କରି ହୋହଲ୍ଲା କରିଛନ୍ତି । କଂଗ୍ରେସ ସାଂସଦ ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି, ଭାରତର ସୁରକ୍ଷା ସମସ୍ୟାକୁ ନେଇ ରାଜନୀତି କରିବାକୁ ଚାହୁଁନାହୁଁ । ଦେଶ ସହ ଏକାଠି ହୋଇଛୁ । ହେଲେ, ୨୦୨୦ ମେ ମାସରୁ ସୀମା ନିକଟରେ ଚୀନ ସେନାର ଏଭଳି ଉଲ୍ଲଂଘନକୁ ନେଇ ମୋଦୀ ସରକାର ସତ କୁହନ୍ତୁ । ବିରୋଧୀଙ୍କ ହଙ୍ଗାମା ପରେ ପ୍ରତିରକ୍ଷା ମନ୍ତ୍ରୀ ଓ ଗୃହମନ୍ତ୍ରୀ ଉତ୍ତର ରଖିଛନ୍ତି । ସୀମା ପ୍ରସଙ୍ଗରେ ଏକାଠି ହୋଇ ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି ।  ତେବେ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ ଆର୍ଥିକ ସହାୟତା ଦେବା ପ୍ରସଙ୍ଗ ଉଠାଇ ସମାଲୋଚନା କରିଛନ୍ତି ଅମିତ୍ ଶାହା ।

ସୀମାରେ ଚୀନ ସେନାର ଗଣ୍ଡଗୋଳ ପରେ ଭାରତରେ ଦେଖିବାକୁ ମିଳିଛି ପ୍ରତିବାଦ । ଜମ୍ମୁକଶ୍ମୀରରେ ଡୋଗ୍ରା ଫ୍ରଣ୍ଟ ଜୋରଦାର ବିରୋଧ କରିଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଚୀନ ପୋଷ୍ଟରକୁ ପୋଡି ପ୍ରଦର୍ଶନ କରାଯାଇଛି । ଜିନପିଙ୍ଗଙ୍କ ଫଟୋ ଉପରେ କାଳି ଓ ଚପଲ ମାଡ ସହ ନାରା ଦେଇଛି ଡୋଗ୍ରାଫ୍ରଂଟ । ପାକିସ୍ତାନକୁ ଯେଉଁଭଳି ଭାବେ କଡ଼ା ଜବାବ ଦେଉଛି ଭାରତ ଠିକ ସେପରି ଚୀନ ବିରୋଧରେ କରିବା ପାଇଁ ସମୟ ଆସିଛି ବୋଲି ପ୍ରଦର୍ଶନକାରୀ ଦାବି କରିଛନ୍ତି । ତେବେ ସୀମାରେ ଶାନ୍ତି ବଜାୟ ରହିଛି ବୋଲି କହିଛି ଚୀନ ।