କେଉଁଠି କାର୍ଟୁନ ଥିମରେ ସଜେଇ ହେଇଛି ମଣ୍ଡପ, ତ ଆଉ କେଉଁଠି ରସଗୋଲା ମଣ୍ଡପ । କୋଲକାତାରେ ଜମୁଛି ପୂଜା ମାହୋଲ ।

83

କନକ ବ୍ୟୁରୋ: କୋଲକାତାରେ ଜମୁଛି ପୂଜା ମାହୋଲ । ପଶ୍ଚିମବଙ୍ଗର ରାଜଧାନୀରେ ଦୁର୍ଗାପୂଜାକୁ ନେଇ ଗହଳିଚହଳି ଲାଗିଛି । ବିଭିନ୍ନ ଥିମରେ ତିଆରି ସୁନ୍ଦର ଓ ସୁଉଚ୍ଚ ତୋରଣ, କୋଲକାତା ଦୁର୍ଗାପୂଜାର ନିଆରା ପରିଚୟ । ଚଳିତ ବର୍ଷ ସିଂହୀପାର୍କ ସାର୍ବଜନୀନ ଦୁର୍ଗାପୂଜା କମିଟିର ପୂଜା ପେଣ୍ଡାଲ ବିଶିଷ୍ଟ କାର୍ଟୁନିଷ୍ଟ ନାରାୟଣ ଦେବନାଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସଜାଯାଇଛି । ସେହିପରି ଏକଦାଲିଆରେ ରସଗୋଲା ଆକାରରେ ମଣ୍ଡପକୁ ସଜାସାଇଛି ।

ସୁଦୃଶ୍ୟ ତୋରଣ, ରଙ୍ଗବେରଙ୍ଗର ଆଲୋକ, ମନଲୋଭା ସାଜସଜ୍ଜା, ଆଉ ଭକ୍ତଙ୍କ ଗହଳି । କୋଲକାତା ଦୁର୍ଗାପୂଜା କଥା କହିଲେ, ଏସବୁର ଆକର୍ଷଣୀୟ ଝଲକ ଦେଖିବାକୁ ମିଳିଥାଏ
ସବୁ ପୂଜାମଣ୍ଡପ ଅଲଗା ଅଲଗା ଥିମକୁ ନେଇ ସଜେଇ ହୋଇଥିବା ବେଳେ ସିଂହୀପାର୍କ ସାର୍ବଜନୀନ ଦୁର୍ଗାପୂଜା ପାଣ୍ଡାଲ ଟିକେ ନିଆରା କରିବାକୁ ଚେଷ୍ଟା କରିଛି । ପ୍ରସିଦ୍ଧ ଭାରତୀୟ କମିକ୍ସ କାଟୁନିଷ୍ଟ ନାରାୟଣ ଦେବନାଥଙ୍କୁ ଟ୍ରିବ୍ୟୁଟ ଦେବାକୁ କାର୍ଟୁନରେ ପୁରା ପେଣ୍ଡାଲକୁ ସଜାଯାଇଛି ।

ସେହିପରି ମିଠା ସହ ବେଙ୍ଗଲୀଙ୍କ ଏକ ବେଶ୍ ଭଲ ପାଇବା ରହିଆସିଛି । ଆଉ ଏହାକୁ ଭିତ୍ତି କରି ଏକଦାଲିଆ ଶାରଦୀୟ ଦୁର୍ଗାପୂଜା ସମ୍ମିଳନୀ ପେଣ୍ଡାଲରେ ହୋଇଛି ରସଗୋଲା ମଣ୍ଡପ । । ରସଗୋଲା ଆକାରରେ ମଣ୍ଡପକୁ ସଜାସାଇଛି । ଖାଲି ରସଖୋଲା ନୁହେଁ, ଏହା ସହ ଭଳିକି ଭଳି ମିଠାର ପସରା ବି ମେଲିଛି । ତେବେ ପୂଜାର ମାହୋଲର ମଜା ନେବା ପାଇଁ ସଭିଏଁ ଲାଗିପଡ଼ିଛନ୍ତି । ସାଧାରଣ ଜନତା ହୁଅନ୍ତି କି ସେଲିବ୍ରିଟି । ଏ ସବୁ ଭିତରେ ପରମ୍ପରା, ରୀତି ନୀତି ସହ ପୂଜା ଚାଲିଥିବା ବେଳେ ଭକ୍ତଙ୍କ ଗହଳି ବଢ଼ିବାରେ ଲାଗିଛି । ଏହାସହ ପରିବେଶ ଭକ୍ତିମୟ ହୋଇଉଠିଛି ।