ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା । ସୁନା, ରୂପା ମେଢ଼ରେ ଶୋଭା ପାଉଛନ୍ତି ମା’ । ମନମୋହୁଛି ସୁଦୃଶ୍ୟ ତୋରଣ ।

76

କନକ ବ୍ୟୁରୋ: ଦଶହରାକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଶକ୍ତିପୀଠରେ ମହାମାୟାଙ୍କ ମହାଷ୍ଟମୀ ପୂଜା ଚାଲିଛି । ଚଳିତ ବର୍ଷ ଦ୍ୱୈତନଗରୀର ଧୁମଧାମରେ ଦୁର୍ଗାପୂଜା ପାଳନ କରାଯାଉଛି । କୋଭିଡ କଟକଣା ଯୋଗୁଁ ୨ ବର୍ଷ ଦଶହରା ଫିକା ପଡିଥିବା ବେଳେ ଚଳିତ ବର୍ଷା କଟକଣା ନଥିବାରୁ ପୂଜାରେ ଆନନ୍ଦ ଉଲ୍ଲାସ ବଢିଛି । ଲୋକେ ପରିବାର ଲୋକଙ୍କୁ ଧରି ପୂଜା ମଣ୍ଡପକୁ, ଶକ୍ତିପୀଠକୁ ଯାଇ ମାଆଙ୍କ ଆଶିର୍ବାଦ ନେଉଛନ୍ତି । ଚଳିତ ବର୍ଷ କଟକ ଓ ଭୁବନେଶ୍ୱରରେ ବିଭିନ୍ନ ଥିମର ସୁଉଚ୍ଚତୋରଣ, ଆଲୋକ ମାଳାର ଚମକ୍ରାର ସାଜସଜା ସମସ୍ତଙ୍କ ମନ ମୋହୁଛି ।

  • ପାର୍ବଣରେ ଗହଳ ଚହଳ ଦ୍ୱୈତନଗରୀ
  • ସୁନା, ରୁପା ମେଢ଼ରେ ଝଟକୁଛନ୍ତି ମା’

ମାଆଙ୍କ ଧରାବତରଣକୁ ନେଇ ଚଳଚଞ୍ଚଳ ହୋଇପଡିଛି ସହରଠୁ ପୁରପଲ୍ଲୀ । ଶକ୍ତିପୀଠରେ ମହାଷ୍ଟମୀ ଓ ପୂଜା ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାସପ୍ତମୀ ଆରାଧନା । ସୁଦୃଶ୍ୟ ତୋରଣ, ଚିକମିକ୍ ଆଲୋକ ମାଳାରେ ଝଲସି ଉଠୁଛି ରାଜଧାନୀର ପୂଜା ମଣ୍ଡପ । ଷ୍ଟେସନ ବଜାର ପୂଜା ମଣ୍ଡପରେ ବାରଣାସୀ ଗଙ୍ଗାଘାଟ ଆକାରର ତୋରଣ କରାଯାଇଛି । ତୋରଣରେ ରହିଛି ମା’ଙ୍କ ୨୦ଟି ପ୍ରତିମୂର୍ତ୍ତି । ସେହିପରି ୨ କ୍ୱିଣ୍ଟାଲ ୭କେଜି ରୂପାରେ ଚାନ୍ଦିମେଢ କରାଯାଇଛି । ଚାନ୍ଦିମେଢରେ ଝଟକୁଛନ୍ତି ଜଗତଜନନୀ । ଭୁବନେଶ୍ୱରର ବଢେଇବାଙ୍କ ପୂଜା କମିଟି ପକ୍ଷରୁ ଧୁମଧାମରେ ଦୁର୍ଗାପୂଜା କରାଯାଉଛି । ଝାରପଡା ପୂଜା ମଣ୍ଡପର ତୋରଣ ରାଜପ୍ରାସାଦ ଶୈଳୀରେ ତିଆରି ହୋଇଛି । ମଣ୍ଡପ ଭିତର ଚମତ୍କାର ସାଜସଜ୍ଜା ଭିତରେ ଝଟକୁଛନ୍ତି ମାଆ । ରସୁଲଗଡ ପୂଜା ପେଣ୍ଡାଲକୁ ରାଜକୀୟ ଶୈଳୀରେ ସଜାଯାଇଛି । ସେପଟେ ବୃଦ୍ଧାଶ୍ରମର ଥିମକୁ ନେଇ ନୟାପଲ୍ଲୀ ପୂଜା ମଣ୍ଡପକୁ ସାଜସଜ୍ଜା କରାଯାଇଛି ।

  • ସିଲଭର ସିଟିରେ ଦୁର୍ଗାପୂଜାର ମାହୋଲ
  • ଚାନ୍ଦି ମେଢରେ ଦର୍ଶନ ଦେଉଛନ୍ତି ମା’

ଶାରଦୀୟ ପୂଜାକୁ ନେଇ କଟକରେ ଗହଳଚହଳ ଜମୁଛି । କଟକରେ ଚଳିତ ବର୍ଷ ୨୮ଟି ପୂଜା ମଣ୍ଡପରେ ଚାନ୍ଦି ମେଢରେ ପୂଜା ପାଉଛନ୍ତି ଜଗତଜନନୀ । ସହରର ଚାନ୍ଦିନିଚୌକଠାରେ ଧୁମଧାମରେ ଚାଲିଛି ମାଆଙ୍କ ଆରାଧନା । ସାଢେ ୪ କ୍ୱିଣ୍ଟାଲ ଚାନ୍ଦିରେ ମେଢ ତିଆରି ହୋଇଛି, ମାଆଙ୍କୁ ସୁନା ଗହଣା ଲାଗି କରାଯାଇଛି । ମାଆଙ୍କ ସିଂହାସନ ସହ ମେଢ ଓ ମକୁଟରେ ମୋଟ ସାଢେ ୪ କ୍ୱିଣ୍ଟାଲ ଚାନ୍ଦି ବ୍ୟବହାର ହୋଇଛି । ସେପଟେ ଶେଖ୍ ବଜାର ପୂଜା ପେଣ୍ଡାଲରେ ୩୬୦ କିଲୋଗ୍ରାମ ରୂପାରେ ମେଢ ତିଆରି ହୋଇଛି । ମାଆଙ୍କ ସୁନା ମୁକୁଟ, ପାଶ୍ୱର୍ଦେବାଦେବୀଙ୍କ ମୁକୁଟରେ ୭କିଲୋ ସୁନା ଲାଗିଛି ।

  • ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା
  • ଶକ୍ତିପୀଠରେ ଚାଲିଛି ମା’ଙ୍କ ମହାଅଷ୍ଟମୀ ପୂଜା

ଶକ୍ତିପୀଠରେ ମହାମାୟୀଙ୍କ ମହାଷ୍ଟମୀ ପୂଜା ଚାଲିଛି । କଟକ ଚଣ୍ଡିମନ୍ଦିରରେ ମାଆଙ୍କ ଆଶିର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ସେପଟେ ବାଙ୍କୀର ମାଆ ଚର୍ଚ୍ଚିକାଙ୍କ ପୀଠର ମହାଷ୍ଟମୀ ପୂଜା ଚାଲିଛି । ସେହିପରି ଝଙ୍କଡ଼ବାସିନୀ ମାଆ ଶାରଳାଙ୍କ ପୀଠରେ ଧୁମଧାମରେ ପୂଜାର୍ଚ୍ଚନା ଚାଲିଛି । ତେବେ କରୋନା କଟକଣା ହଟିବା ପରେ ପୂଜା ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭୁବନେଶ୍ୱର କଟକର ବିଭିନ୍ନ ସ୍ଥାନରେ ବଡ ବଡ ମଣ୍ଡପରୁ ନେଇ ତୋରଣ ଯାଏ ସାଜସଜା ହୋଇଛି । ରଙ୍ଗୀନ୍ ଆଲୋକ ମାଳାରେ ଝଲସୁଛି ପୂଜା ବଜାର ।