ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନି ଖାଇବା ପ୍ରସଙ୍ଗରେ ତେଜିଲା ବିବାଦ: ହେତୁବାଦୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କଲେ ଶଙ୍କରାଚାର୍ଯ୍ୟ

291

କନକ ବ୍ୟୁରୋ: ଦୁଇ ଦିନ ତଳେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ପଡିଥିଲା । ହେଲେ ଏହାକୁ ନେଇ ବିବାଦ ଶେଷ ହୋଇନି । ସୂର୍ଯ୍ୟପରାଗରେ ଚିକେନ ବିରିଆନି ଖାଇବାକୁ ନେଇ ହେତୁବାଦୀଙ୍କୁ ବିରୋଧ ତେଜିବାରେ ଲାଗିଛି । ଏ ନେଇ ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ବୁଧବାର ଦିନ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିବା ବେଳେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି । ସୂର୍ଯ୍ୟପରାଗ ଦିନ ପାକତ୍ୟାଗ ସମୟରେ ଚିକେନ ବିରିଆନି ଖାଇବା ଧର୍ମ ବିରୋଧୀ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।

ହାଣ୍ଡିଛାଡ ଓ ପାକନିଷେଧର ଯେଉଁ ପରମ୍ପରା ରହିଛି, ଯାହା ଉପରେ ଗୁରୁତ୍ୱ ଦେଇଥାନ୍ତି ଜ୍ୟୋତିଷ ଶାସ୍ତ୍ରୀ । ଆଉ ଏହାକୁ ପରମ୍ପରା ନାଁରେ ଅନ୍ଧବିଶ୍ୱାସ ବୋଲି ଯୁକ୍ତି ବାଢୁଛନ୍ତି ହେତୁବାଦୀ । ସୂର୍ଯ୍ୟପରାଗରେ ଚିକେନ ବିରିଆନି ଖାଇ ଏହାକୁ ଅନ୍ଧବିଶ୍ୱାସ ବୋଲି ପ୍ରମାଣ କରିବାକୁ ହେତୁବାଦୀମାନେ ଉଦ୍ୟମ କରି ବିବାଦରେ ନିଆଁ ଲଗାଇ ଦେଇଛନ୍ତି । ନଭେମ୍ବର ୮ରେ ପଡୁଛି କାର୍ତ୍ତିକ ପୂର୍ଣ୍ଣିମା, ସେହିଦିନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଛି । ଚନ୍ଦ୍ରଗ୍ରହଣରେ ବି ଚିକେନ ବିରିଆନି ଖାଇବେ ବୋଲି କହିଛନ୍ତି ହେତୁବାଦୀ । ତେବେ ଏହାକୁ ଗ୍ରହଣ କରିପାରୁନାହାନ୍ତି ହିନ୍ଦୁ ଧର୍ମ ଓ ପରମ୍ପରାରେ ବିଶ୍ୱାସ କରୁଥିବା ବ୍ୟକ୍ତି । ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି, ସମାଜ ସୃଷ୍ଟି ହୋଇନଥିବା ପୂର୍ବରୁ ବିଜ୍ଞାନ ରହିଛି । ଯାହାକୁ ସେତେବେଳେ ଧର୍ମ କୁହାଯାଉଥିଲା । ବହୁ କାଳରୁ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ପାକ ନିଷେଧ ପରମ୍ପରା ରହିଆସିଛି । ହିନ୍ଦୁ ଧର୍ମରେ ବିଶ୍ୱାସୀ ଏହାକୁ ମାନି ଆସିଛନ୍ତି । ଚିକେନ ବିରିଆନି ଖାଇ ହେତୁବାଦୀମାନେ ଗୋଟିଏ ପରମ୍ପରାକୁ ତାତ୍ସଲ୍ୟ କରୁଛନ୍ତି ।

ବିଶ୍ୱାସ ଓ ବିଜ୍ଞାନକୁ ନେଇ ସମାଜରେ ସବୁବେଳେ ଭିନ୍ନମତ ରହିଆସିଛି । ଗୋଟିଏ ଗୋଷ୍ଠୀ ବିଶ୍ୱାସ ଆଧାରରେ ବର୍ଷବର୍ଷ ଧରି ପରମ୍ପରାକୁ ପାଳନ କରିଆସୁଥିବାବେଳେ, ଆଉଗୋଟିଏ ଗୋଷ୍ଠୀ ପରମ୍ପରା ନାଁରେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ ବୋଲି ଯୁକ୍ତି କରିଆସୁଛନ୍ତି । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ପାକତ୍ୟାଗ ସହ ଅନ୍ୟାନ୍ୟ ନୀତି ନିୟମ ଅନ୍ଧବିଶ୍ୱାସ, ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ଯୁକ୍ତି ବାଢ଼ିଛନ୍ତି ହେତୁବାଦୀ । ଯାହାକୁ ନେଇ ବିବାଦ ତେଜିଛି ।