ଡାଇବେଟିସ କରିପାରେ ସୁଗାର ଫ୍ରି ମିଠା! ଅନୁସନ୍ଧାନରୁ ମିଳିଲା ସାଂଘାତିକ ତଥ୍ୟ

295

କନକ ବ୍ୟୁରୋ: ଯଦି ଆପଣଙ୍କୁ ଡାଇବେଟିସ୍ ଏବଂ ରକ୍ତ ସର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି ତାହାହେଲେ ସତର୍କ ହୋଇଯାଆନ୍ତୁ । କାରଣ ଆପଣଙ୍କ ବିଶ୍ୱାସରେ ବିଷ ଦେଇ ସୁଗାରଫ୍ରି ମିଠା ନାଁରେ ବିଷ ବାଂଟୁଛନ୍ତି କେତେକ ଅସାଧୁ ମିଠା ବ୍ୟବସାୟୀ । ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠିତ ମିଠା ଦୋକାନରୁ ସଂଗ୍ରହ କରାଯାଇଥିଲା ଏହି ସୁଗାର ଫ୍ରି ଛେନାପୋଡ । ଦୋକାନୀ ଦାବି କରିଥିଲେ ଯେ, ଏଥିରେ ସ୍ୱିଟନର ମିଶାଯାଇଛି, ସୁଗାର ବା ଚିନି ଆଦୌ ଦିଆଯାଇ ନାହିଁ ।

ଯେତେବେଳେ ଆମ ପ୍ରତିନିଧି ଅନୁଜ ଦାସ ସୁଗାର ଫ୍ରି ଛେନାପୋଡର ମାନ ପରୀକ୍ଷା ପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରରେ ଦାଖଲ କରିଥିଲେ । ଆଜିର ଦିନରେ ତାର ରିପୋର୍ଟ କନକ ନ୍ୟୁଜ ହାତରେ ଲାଗିଛି । ଭୁବନେଶ୍ୱର ରାମ ମନ୍ଦିର ପାଖ କନଭେଂଟ ଛକରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରରେ ସୁଗାର ଫ୍ରି ଛେନା ପୋଡକୁ ପରୀକ୍ଷା ପାଇଁ ଦିଆଯାଇଥିଲା । ଫୁଡ ସିକ୍ୟୁରିଟି ଷ୍ଟାଣ୍ଡାର୍ଡ ଅଥରଟି ଅଫ୍ ଇଣ୍ଡିଆର ମାନକ ଅନୁଯାୟୀ ଏହି ନମୁନାର ପରୀକ୍ଷା କରାଯାଇଛି । ଆଉ ରିପୋର୍ଟରେ ଲେଖାଯାଇଛି ଦିଆଯାଇଥିବା ନମୁନାରେ ସୁଗାର ବା ଚିନିର ସ୍ୱାଦ ମିଳିଛି । ସ୍ପଷ୍ଟ ଭାବେ ଟେଷ୍ଟ ଅଫ୍ ସୁଗାର ପାଖରେ ପଜିଟିଭ ଲେଖାଯାଇଛି । ଅର୍ଥାତ୍ ସୁଗାର ଫ୍ରି ମିଠା ନାଁରେ ବିକ୍ରି ହେଉଥିବା ଛେନାପୋଡର ଯେଉଁ ନମୁନା ଆମେ ଦେଇଥିଲୁ ସେଥିରେ ସୁଗାର ବା ଚିନି ରହିଛି । ଥରେ ଭାବନ୍ତୁ ଡାଇବେଟିସ ରୋଗୀ ସୁଗାର ଫ୍ରି ମିଠା ଭାବି ଏହାକୁ ଅତି ଆଗ୍ରହରେ କିଣି ନେଉଥିବେ । ହେଲେ ଏଥିରେ ଥିବା ଚିନି ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ।

ରିପୋର୍ଟର ରିମାର୍କ୍ସ ବା ମତାମତ ଉପରେ ନଜର ପକାନ୍ତୁ । ଶେଷରେ ଲେଖାଯାଇଛି ଆମେ ଦେଇଥିବା ଛେନାପୋଡ ନମୁନାର ମାନ ଅତ୍ୟନ୍ତ ଖରାପ । କାରଣ ଏଥିରେ ଚିନି ରହିଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଡାଇବେଟିସ ରୋଗୀ । ବର୍ଷବର୍ଷ ଧରି ସେମାନଙ୍କୁ ସୁଗାର ଫ୍ରି ମିଠା ନାଁରେ ବିଷ ବିକୁଛନ୍ତି ଅସାଧୁ ବ୍ୟବସାୟୀ ।

କନକ ନ୍ୟୁଜ ଅନୁସନ୍ଧାନରୁ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ସାରାରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ଆଗକୁ ଡାଇବେଟିସ ରୋଗୀ ଆଉ ସୁଗାର ଫ୍ରି ମିଠା ଖାଇବେ ନାହିଁ ବୋଲି ମଧ୍ୟ କ୍ୟାମେରା ଆଗରେ କହିଛନ୍ତି ।