ସୁପରହିଟ୍ ଶନିବାର: ବାରିପଦାରେ ମୋଦି, ପୁରୀରେ ନବୀନ । କିଏ କାହା ପାଇଁ କହିବ କଣ ?

ମୋଦିଙ୍କ ଗସ୍ତ ପୂର୍ବରୁ ରାଜ୍ୟର ଜଳସେଚନ ପ୍ରସଙ୍ଗରେ ଚିଠି ଲେଖି ହିସାବ ଦେଲେ ନବୀନ

169

କନକ ବ୍ୟୁରୋ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଗସ୍ତ । ତେବେ ଏହା ପୂର୍ବରୁ ରାଜ୍ୟ ରାଜନୀତିର ପାଣିପାଗ ଉଷୁମ ହେବାରେ ଲାଗିଛି । ଡିସେମ୍ବର ୨୪ ତାରିଖ ଖୋର୍ଦ୍ଧା ଜନସଭାରେ ଓଡ଼ିଶାରେ ଜଳସେଚନ ନେଇ ପ୍ରଧାନମନ୍ତ୍ରୀ ଯେଉଁ ତଥ୍ୟ ରଖିଥିଲେ, ଚିଠି ଲେଖି ତାକୁ କାଉଁଟର କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ଚିଠିରେ ଜଳସେଚନ ନେଇ ହିସାବ ରଖିଛନ୍ତି ନବୀନ । ସେପଟେ ନବୀନଙ୍କ ଏହି ଚିଠି ଉପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଜଳସେଚନ ନେଇ ମିଛ ଓ ରଂଗୀନ ଚିତ୍ର ଦେଇଛନ୍ତି ବୋଲି ଆକ୍ଷେପ କରିଛନ୍ତି ଧର୍ମେନ୍ଦ୍ର । ଏହାକୁ ନେଇ ଜୋରଧରିଛି ଆକ୍ଷେପ-ପ୍ରତି ଆକ୍ଷେପର ରାଜନୀତି ।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଗସ୍ତ । ଏହାର ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି, ରାଜନୀତି ପାଣିପାଗକୁ ଉଷୁମ କରିଦେଇଛି । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅନେକଥର ଚିଠି ଲେଖିଛନ୍ତି ନବୀନ । ହେଲେ ଏଥରର ଚିଠି ଭିନ୍ନ ଦିଗ ଆଡକୁ ଇସାରା କରୁଛି । ଗତ ଡିସେମ୍ବର ୨୪ରେ ଖୋର୍ଦ୍ଧାରେ ଜନ ସମାବେଶକୁ ସମ୍ବୋଧିତ କରି ମୋଦି କହିଥିଲେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବା ୧୦ ଲକ୍ଷ ହେକ୍ଟରରୁ ମାତ୍ର ୨୨ ହଜାର ହେକ୍ଟର ଜମିକୁୁ ଜଳସେଚିତ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ତଥ୍ୟକୁ କାଉଁଟର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୪ରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ତାର ହିସାବ ଚିଠି ଲେଖି ଜଣାଇଛନ୍ତି ନବୀନ । ଚିଠିରେ ନବୀନ ଦର୍ଶାଇଛନ୍ତି –

• ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା

• ୨୦୧୪ ପରେ ଅତିରିକ୍ତ ୭.୮ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇଛି

• ଏଥିପାଇଁ ମୋଟ୍ ୨୬, ୮୮୯ କୋଟି ଟଙ୍କା ବିନିଯୋଗ ହୋଇଛି

• ଯେଉଁଥିରୁ କେନ୍ଦ୍ରର ଅବଦାନ ରହିଛି ମାତ୍ର ୧୨୧୧ କୋଟି ଅର୍ଥାତ ୪.୫ ପ୍ରତିଶତ

• ଚଳିତବର୍ଷ ଏଥିଲାଗି ବ୍ୟୟବରାଦ ହୋଇଛି ୧୦,୧୯୬ କୋଟି ଟଙ୍କା

ମୋଦୀ ଭୁଲ ତଥ୍ୟ ଦେଇଛନ୍ତି ବୋଲି ତାଙ୍କ ଚିଠିରେ କେଉଁଠି ଲେଖିନାହାନ୍ତି ନବୀନ । ତେବେ ଜଳସେଚନ ସଂପର୍କିତ ଏପରି କଡ଼ାଗଣ୍ଡା ହିସାବ ରଖିଛନ୍ତି, ଯାହା ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଦର୍ଶାଉଛି । ମୋଦୀଙ୍କ ଗସ୍ତ ପୂର୍ବରୁ ଗୋଟି ଗୋଟି ହିସାବ ରଖି ଆକ୍ରମଣାତ୍ମକ ରଣନୀତି ଆପଣାଇଛନ୍ତି ନବୀନ ।

ମାତ୍ର ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ଓଡ଼ିଶା ଆସୁଛନ୍ତି ମୋଦୀ । ବାରିପଦା ଗସ୍ତରେ ଆସି ଜାତୀୟ ରାଜପଥ ଲୋକାର୍ପଣ ଆଦି କାର୍ଯ୍ୟକ୍ରମ ସହ ଦଳୀୟ ସାଧାରଣ ସଭାରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ । ସେଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏପଟେ ପୁରୀ ଇନଡୋର ହଲରେ ନବୀନଙ୍କ ବିଶାଳ ସମାବେଶ । ଏକାଠି ହେବେ ପ୍ରାୟ ୬୦ ହଜାର ମହିଳା । ଜିଲ୍ଲାର ପ୍ରାୟ ୪୨ ହଜାର ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ସମାବେଶକୁ ନିମନ୍ତ୍ରଣ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଓ ମୋବାଇଲ୍ ଦିଆଯିବା କାର୍ଯ୍ୟକ୍ରମ ରହିଛି । ଜାନୁୟାରୀ ୫ ତାରିଖରେ ଦୁଇ ପ୍ରତିଦ୍ୱନ୍ଦୀ ଦଳର ଦୁଇ ବିଶାଳ ଆୟୋଜନକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ନବୀନଙ୍କ ଚିଠି ପରେ ବାରିପଦାରେ ପ୍ରଧାନମନ୍ତ୍ରୀ କି ଆଭିମୁଖ୍ୟ ରଖୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି ।