ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି। ସଂଘର୍ଷର ନିଆଁରେ ଜଳୁଛି ପାକିସ୍ତାନ

118

କନକ ବ୍ୟୁରୋ: କେଉଁଠି ବୋମାମାଡ ହେଉଛି ତ ପୁଣି କେଉଁଠି ଫୁଟୁଛି ଗୁଳି । କିଏ ପୁଲିସ ଉପରକୁ ପଥରମାଡ କରୁଛି ତ କେଉଠି ପ୍ରଦର୍ଶନକାରୀଙ୍କୁ ପାଲଟା ଜବାବ ଦେଇ ଗୋଡେଇ ଗୋଡେଇ ଲାଠିମାଡ କରୁଛି ପୁଲିସ । ଲୁହବୁହା ଗ୍ୟାସରେ ସାରା ଅଞ୍ଚଳ ଧୂଆଁମୟ ହୋଇପଡିଛି । କିଛି ଘଣ୍ଟା ମଧ୍ୟରେ ଲାହୋର ପାଲଟିଛି ଯୁଦ୍ଧଭୂମି । ସ୍ଥାନେ ସ୍ଥାନେ ଜଳୁଛି ସଂଘର୍ଷର ନିଆଁ । ଏହି ସବୁ ଦୃଶ୍ୟ ହେଉଛି ଲାହୋର ସମେତ ପାକିସ୍ତାନର ୪ପ୍ରମୁଖ ସହରର । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପୂର୍ବରୁ ଦେଶର ବଡ ବଡ ସହରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଲାହୋର, ରାୱଲପିଣ୍ଡି, ଇସଲାମାବାଦ ସହ ଅନେକ ସହରରେ ଇମ୍ରାନଙ୍କ ସମର୍ଥକଙ୍କ ଉତ୍ପାତ କରୁଛନ୍ତି । ଜମାନପାର୍କ ନିକଟରେ ଥିବା ଇମ୍ରାନଙ୍କ ଘର ବାହା ରଣଭୂମି ପରି ଦେଖାଯାଉଛି ।

ତୋଷଖାନା ମାମଲାରେ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ତାଙ୍କୁ ଗିରଫ କରିବା ପାଇଁ ଇସଲାମାବାଦ ପୁଲିସ ଲାହୋରେ ପହଞ୍ଚିବା ପରେ ଏଭଳି କିଛି ସ୍ଥିତି ଦେଖିବାକୁ ମିଳିଛି । ଇମ୍ରାନଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧର ନିଆଁରେ ଜଳୁଛି ପାକିସ୍ତାନ । ସୂଚନା ଅନୁସାରେ ଇମ୍ରାନଙ୍କୁ ଗିରଫ କରିବାରେ ଇସଲାମାବାଦ ପୁଲିସ ବିଫଳ ହେବା ପରେ ଏବେ ଇମ୍ରାନଙ୍କ ଘରେ ପହଞ୍ଚିଛି ପାକିସ୍ତାନ ସେନା । ସେପଟେ ଇମ୍ରାନ କହିଛନ୍ତି ଲଣ୍ଡନରୁ ତାଙ୍କର ଗିରଫ ଓ ହତ୍ୟା ଯୋଜନା କରାଯାଇଛି । ସେହେବାଜ ସରକାରଙ୍କ ଇସାରରେ ତାଙ୍କୁ ମିଛ ମାମଲାରେ ଫଶାଯାଇଥିବା ଇମ୍ରାନ ଭିଡିଓ ଜାରି କରି କହିଛନ୍ତି ।

ପାକିସ୍ତାନ ସରକାରଙ୍କ କ୍ୟାବିନେଟର ଏକ ମୁଖ୍ୟ ଅଙ୍ଗ ହେଉଛି ତୋଷଖାନା । ଯେଉଁଠି ସରକାରୀ ଓ ବିଦେଶରୁ ଆସିଥିବା ଦାମୀ ଉପହାର ରଖାଯାଏ । ଏହି ଉପହାର ଗୁଡିକୁ ଇମ୍ରାନ ଅଧିକ ଦରରେ ବିକ୍ରି କରିଥିଲେ । ସେହି ଅର୍ଥକୁ ନିଜ ପାଇଁ ଖର୍ଚ୍ଚ କରିଥିବା ଅଭିଯୋଗ ଆସିଥିଲା । ଏହି ମାମଲରେ ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସଲାମାବାଦ କୋର୍ଟ ।

ପାକିସ୍ତାନରେ ଏବେ ଗୃହଯୁଦ୍ଧଭଳି ସ୍ଥିତି ଉପଜିଛି । ସେନା, ସରକାର ଓ ପିଟିଆଇ ମଧ୍ୟରେ ଚାଲିଥିବା ଲଢ଼େଇକୁ ନେଇ ପାକିସ୍ତାନର ସ୍ଥିତି ଅଧିକ ବିଗୁଡୁଛି । ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦେଶ ଏବେ ରାଜନୈତିକ ଲଢ଼େଇ ଭିତରେ ଫଶିଛି ।