ନିର୍ଯାତନା ଦେଲା ଜନ୍ମକଲା ମାଆ! କୁନି ଶିଶୁ ଦେହରେ ଚେଙ୍କ ଚିହ୍ନ

167

କନକ ବ୍ୟୁରୋ: ମାଆ । ସ୍ନେହ ମମତା ପ୍ରେମ, ତ୍ୟାଗର ମୂର୍ତ୍ତିମନ୍ତ ରୂପ । ନିଜ ସନ୍ତାନ ପାଇଁ ସଂସାର ସହ ଲଢିପାରେ । ହେଲେ ଦୁନିଆରେ ଏମିତି ବି ମାଆ ଅଛନ୍ତି ଯେଉଁମାନେ ଜନ୍ମକଲା ଛୁଆ ପ୍ରତି ନିଷ୍ଠୁରତାର ସବୁ ସୀମା ଟପି ପାରନ୍ତି । ଆମେ ଅତିରଂଜିତ କରି କିଛି ବି କହୁନୁ । ଏ ଦୃଶ୍ୟ ଦେଖିଲେ, ୪ ବର୍ଷର ଏ ଛୁଆ ଅବସ୍ଥାକୁ ଦେଖିଲେ ଆପଣ ବି କହିବେ ସତରେ ମାଆ ଏତେ କ୍ରୁର ହୋଇପାରେ । ଘଟଣା ଯାଜପୁର ଜିଲ୍ଲା ଛତିଆର । ଗୋପପୁର ଛକରେ ଘରଭଡା ନେଇ ରହୁଥିବା ଜଣେ ମହିଳା ନିଜ ୪ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବରେ ମାଡ ମାରିବା ସହ ଦେହସାରା ସିଗାରେଟ୍ ଚେଙ୍କ ଦେଇଛନ୍ତି । ଏପରିକି ମହିଳାଙ୍କ ସହ ରହୁଥିବା ସହଯୋଗୀ ମଧ୍ୟ ଶିଶୁକୁ ଅକଥନୀୟ ନିର୍ଯାତନା ଦେଇଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ ଯନ୍ତ୍ରଣାରେ ଛଟପଟ ହେଉଥିବା କୁନି ଛୁଆଟିକୁ ଉଦ୍ଧାର କରିଛନ୍ତି ।

ମାଡ ଖାଇ ଛୁଆଟି ଏମତି ଦରମରା ହୋଇଯାଇଛି ଯେ ଠିକରେ ଚାଲିପାରୁନି । ସାର୍ଟ ପିନ୍ଧିପାରୁନି । ପିଲାଟିର ଦେହରେ ଏ ମାଡ ଦାଗ, ଏ ଚେଙ୍କ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ମାଆ କେମିତି ଏତେ କ୍ରୁର, ନିଷ୍ଠୁର, ନିର୍ଦ୍ଦୟ ହୋଇପାରିଲା । ଗୋରୁଗାଇ ଭଳି ମାଡ ମାରିଲା ବେଳେ କେମିତି ତାର ହାତ ଅଟକିଗଲାନି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟ ନେବା ସମୟରେ ଛୁଆଟି ମାଆକୁ ଖୋଜୁଥିଲା, ମାଆ ମାଆ କହି କାନ୍ଦୁଥିଲା । ସେପଟେ ଛୁଆକୁ ଆକଟ କରିବାକୁ ଯାଇ ମାଆ ହାତ ଉଠାଇଥିବା କହିଛି ।

ଶିଶୁ ସୁରକ୍ଷା ୟୁନିଟ ନାବାଳକକୁ ଉଦ୍ଧାର କରି ଯାଜପୁର ଶିଶୁ ଯତ୍ନ କେନ୍ଦ୍ରରେ ରଖିିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାଆ ଓ ତାଙ୍କ ସହଯୋଗୀଙ୍କୁ ପୁଲିସ ଉଠାଇ ନେଇ ଥାନାରେ ପଚରା ଉଚରା କରୁଛି ।