ସଂସଦ ଭବନରୁ ଇଡି ଅଫିସ। ଆଦାନୀ ମାମଲାରେ ବିରୋଧୀଙ୍କ ପଦଯାତ୍ରା।

82

କନକ ବ୍ୟୁରୋ: ବୁଧବାର ଦିଲ୍ଲୀରେ ଦେଖିବାକୁ ମିଳିଛି ସରକାରଙ୍କ ବିରୋଧରେ ବିରୋଧୀଙ୍କ ହାଲ୍ଲାବୋଲ । ହାତରେ ପ୍ଲାକାର୍ଡ, ମୁହଁରେ ଆଦାନୀ ବିରୋଧୀ ନାରାବାଜୀ । ଆଦାନୀ ମାମଲାରେ ଜେପିସି ଗଠନ, ଗୃହରେ ଚର୍ଚ୍ଚା ଓ ମାମଲା ଉପରେ ତୁରନ୍ତ ଯାଞ୍ଚ ଦାବି ନେଇ ସଂସଦଭବନରୁ ଇଡି ଅଫିସ ପର୍ଯନ୍ତ ପଦଯାତ୍ରା କରିଥିଲେ ବିରୋଧୀ । ଇଡି ନିର୍ଦ୍ଦେଶକଙ୍କୁ ସ୍ମାରକପତ୍ର ଦେବାକୁ କଂଗ୍ରେସ ସମେତ ୧୭ ବିରୋଧୀ ଦଳର ସାଂସଦମାନେ ପଦଯାତ୍ରା କରିଥିଲେ । ସେପଟେ ସୁରକ୍ଷାବଳ ପଦଯାତ୍ରାରେ ବାଧା ଦେଇଥିବା ସାଂସଦମାନେ ଅଭିଯୋଗ କରିଛନ୍ତି । ବିରୋଧୀ କହିଛନ୍ତି ଦେଶକୁ ଲୁଟୁଛନ୍ତି ଆଦାନୀ ଓ ତାଙ୍କ ପରି କିଛି ପୁଞ୍ଜିପତି ବ୍ୟକ୍ତି । ସରକାର ସବୁ ଜାଣି ନିରବଦ୍ରଷ୍ଟା କଣ ପାଇଁ ସାଜିଛନ୍ତି ।

ସେପଟେ ବଜେଟ ଅଧିବେଶନର ୩ୟ ଦିନରେ ମଧ୍ୟ ସୁରୁଖୁରରେ ଚାଲିପାରିନି ଗୃହକାର୍ଯ୍ୟ । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ଆଦାନୀ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଅଡିବସିଥିଲେ ।ସାଂସଦମାନଙ୍କୁ ଚେତାବନୀ ଦେଇ ଗୃହକାର୍ଯ୍ୟ ସୁରୁଖୁରରେ ଚଳାଇବା ପାଇଁ ଅପିଲ କରିଥିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ମାର୍ଚ୍ଚ ୧୬ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ ରଖାଯାଇଛି ।

ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ଯେବେଠୁ ଭାରତର ଶିଳ୍ପପତି ଗୌିତମ ଆଦାନୀ ଓ ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ଦୁର୍ନୀତି ଅଭିଯୋଗ ଆଣିଛି ସେବେଠୁ ମୋଦୀ ସରକାରଙ୍କୁ ଘେରିବା ଆରମ୍ଭ କରିଛି ବିରୋଧୀ । ଦେଶର ବିଭିନ୍ନ ସ୍ଥାନରେ ଏନେଇ ପ୍ରତିବାଦ, ଧାରଣା ଦେଇ ପ୍ରଧାନମନ୍ତ୍ରୀଙ୍କଠୁ ଜବାବ ଦାବି କରୁଛନ୍ତି ବିରୋଧୀ ।