ବିଜେପିକୁ ଅଟକାଇବା ପାଇଁ ମିଳିତ ରଣନୀତି ! ୨୦୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିରୋଧରେ ମହାମେଳି ।

218

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ବିଧାନସଭା ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ । ଏହା ପୂର୍ବରୁ ଆଜି ରଣହୁଙ୍କାର ଦେଇଛି ମହାମେଂଟ । ମୋଦିଙ୍କ ବିରୋଧରେ ଦିଲ୍ଲୀରେ ହୋଇଛି ମହାମେଳି । କଂଗ୍ରେସ, ଆମ ଆଦମୀ, ଟିଏମସି, ଡିଏମକେ, ଜେଡିଏସ, ଏନସିପି ଭଳି ଦଳର ମୁଖ୍ୟ ଏଥିରେ ସାମିଲ ହୋଇଥିବା ବେଳେ ବିଏସପି ଓ ଏସପି ମହାମେଂଟରୁ ଦୂରରେ ରହିଛନ୍ତି । ତେବେ ଏହି ମହାମେଂଟର ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ହେବ, ତା’ ଉପରେ ରହିଛି ସମସ୍ତଙ୍କ ନଜର । 

ମୋଦୀଙ୍କ ବିରୋଧରେ ମହାମେଳି । ୨୦୧୯ ନିର୍ବାଚନ ପୂର୍ବରୁ ମହାମେଂଟର ରଣହୁଙ୍କାର । ଆସନ୍ତାକାଲି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସୁଥିବା ବେଳେ ଆଜି ଦିଲ୍ଲୀରେ ବିରୋଧୀଙ୍କ ମହାମେଳି । ପୁଣିଥରେ କ୍ଷମତାକୁ ଫେରିବା ପାଇଁ ବିଜେପିକୁ ଅଟକାଇବା ପାଇଁ ରାଜଧାନୀରେ ଏକାଠି ହୋଇଛନ୍ତି ପ୍ରମୁଖ ବିରୋଧୀ ଦଳର ନେତା । 

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଡକାଇଥିବା ବୈଠକରେ ସାମିଲ ହୋଇଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଡିଏମକେ ମୁଖ୍ୟ ଷ୍ଟାଲିନ୍, ଜେଡିଏସ ମୁଖ୍ୟ ଏଚ୍.ଡି ଦେବେଗୌଡ଼ା, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଏନସିପି ମୁଖ୍ୟ ଶରଦ ପାୱାର ପ୍ରମୁଖ ଯୋଗ ଦେଇଛନ୍ତି । ସେହିପରି ମହାମେଂଟ ବୈଠକରେ ସିପିଏମ୍ ନେତା ସୀତାରାମ ୟେଚୁରୀ, ସିପିଆଇର ଡି. ରାଜା, ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ଅଜିତ ସିଂହ, ଲୋକତାନ୍ତ୍ରିକ ଜନତା ଦଳର ନେତା ଶରଦ ଯାଦବ ମଧ୍ୟ ଯୋଗ ଦେଇଛନ୍ତି ।

ସବୁଠୁ ବଡ଼ କଥା ହେଲା ଉତ୍ତରପ୍ରଦେଶ ରାଜନୀତିର ଦୁଇ ପ୍ରମୁଖ ନେତା ବିଏସପି ସୁପ୍ରିମୋ ମାୟାବତୀ ଓ ଏସପି ମୁଖ୍ୟ ଅଖିଳେଶ ଯାଦବ ଏହି ବୈଠକରୁ ଦୂରେଇ ରହିଛନ୍ତି । ଫଳରେ ବିରୋଧୀଙ୍କ ମହାମେଳି ସ୍ୱପ୍ନରେ ଲାଗିଛି ଝଟକା । ତେବେ କଂଗ୍ରେସ ସହ ମତାନ୍ତର ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ବୈଠକରେ ସାମିଲ ହୋଇଛନ୍ତି । ଡିଏମକେ ମୁଖ୍ୟ ଷ୍ଟାଲିନଙ୍କ ଉଦ୍ୟମ ପରେ ମତଭେଦ ଭୁଲି ମହାମେଂଟ ବୈଠକରେ ଯୋଗ ଦେଇଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ କେଜ୍ରିୱାଲ୍ । 

ସେପଟେ ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଇ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ମୁଖ୍ୟ ଉପେନ୍ଦ୍ର କୁଶୱାହା ଯୋଗ ଦେଇଛନ୍ତି ମହାମେଂଟ ବୈଠକରେ । ଫଳରେ ବିଜେପି ନେତୃତ୍ୱ ଏନଡିଏ ମେଂଟକୁ ଲାଗିଛି ଝଟକା । ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଡାକରାରେ ୨୧ଟି ବିରୋଧୀ ଦଳକୁ ନେଇ ପରିକଳ୍ପିତ ଏହି ମହାମେଂଟର ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ହେବ, ତା’ ଉପରେ ରହିଛି ସମସ୍ତଙ୍କ ନଜର । ବିଜେପି ବିରୋଧରେ ମେଂଟ ଗଢି ନିର୍ବାଚନକୁ ସାମ୍ନା କରିବେ ନା’ ନିର୍ବାଚନ ପରେ ମେଂଟ ହେବ, ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।