ଟ୍ରାଫିକ ପୁଲିସ ଛଡ଼ାଇ ପାରିବ କି ଗାଡ଼ି ଚାବି ? ଡିସିପି ସାଗରିକା କହିଲେ ଚାବି ଛଡ଼ାଇବାର ରହିଛି ଅଧିକାର । ଆଇନଜୀବୀ କହିଲେ ଏଭଳି ଅଧିକାର କାହାରି ନାହିଁ…
କନକ ବ୍ୟୁରୋ: ଗାଡିରୁ ଚାବି ବାହାର କରିପାରିବ କି ଟ୍ରାଫିକ ପୁଲିସ? କଣ କହୁଛି ଆଇନ, କଣ କହୁଛନ୍ତି ଟ୍ରାଫିକ ଡିସିପି? ଷ୍ଟିୱାର୍ଟ ସ୍କୁଲ ଛକରେ ଚାଲିଥିବା ଗାଡି ଚେକିଂ ଆଉ ଏହା ପରର ଘଟଣା ଏକ ବଡ ବିତର୍କକୁ ସାମ୍ନାକୁ ଆଣିଛି । ରାସ୍ତାରେ ଯାଂଚ ସମୟରେ ପୁଲିସ ନିୟମ ଭାଙ୍ଗିଥିବା ଗାଡିରୁ ଚାବି ବାହାର କରି ଆଣିପାରିବ କି? କନକ ନ୍ୟୁଜର ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରାଯାଇଥିବା ଭିଡିଓ ଉପରେ ଜନତା ପଚାରୁଥିବା ପ୍ରଶ୍ନ ନେଇ ପ୍ରତିକ୍ରିୟା ରଖିଛନ୍ତି ଟ୍ରାଫିକ ଡିସିପି । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଲେଖୁଛନ୍ତି, ଗାଡିରୁ ଚାବି ବାହାର କରିବା ଅଧିକାରର ପରିସରଭୁକ୍ତ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଜଣେ ୟୁଜର ଲେଖିଛନ୍ତି, କାହିଁକି ପୁଲିସ ଗାଡିରୁ ଚାବି ବାହାର କରିଦେଲା? ଏହା ଉପରେ ତଦନ୍ତ କରି ମହିଳାଙ୍କୁ ନ୍ୟାୟ ଦେବାକୁ ଉଭୟ ଟ୍ରାଫିକ ଡିସିପି ଏବଂ ପୁଲିସ କମିଶନରଙ୍କୁ ଅନୁରୋଧ କରିଛନ୍ତି । ଆଉ ପଚାରିଛନ୍ତି, ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡିରୁ ଚାବି ପୁଲିସ ବାହାର କରିପାରିବ କି?
ଜବାବରେ ଟ୍ରାଫିକ ଡିସିପି କହିଛନ୍ତି, ମୋଟର ଯାନ ଆକ୍ଟ ଅନୁସାରେ ଯେତେବେଳେ ଗାଡିକୁ ଅଟକ ରଖାଯାଉଛି, ସେହି ସମୟରେ ଚାବିକୁ ବାହାର କରାଯାଇ ପାରିବ । ଧନ୍ୟବାଦ କାରଣ କଠିନ ପରିଶ୍ରମ କରୁଥିବା ପୁଲିସକୁ ଗୁଣ୍ଡା ଆଉ ହୃଦୟହୀନ କହିବା ଆଗରୁ ଅନ୍ତତଃ ଆପଣ ଏହା ଜାଣିବାକୁ ଚାହିଁଲେ ।
ସାଗରିକା ନାଥଙ୍କ ଏହି ଟ୍ୱିଟ ପରେ ନୂଆ ବିତର୍କ ମୁଣ୍ଡ ଟେକିଛି । ସତରେ କଣ ପୁଲିସ ପାଖରେ ଅଧିକାର ରହିଛି ନିୟମ ଭାଙ୍ଗିଥିବା ଗାଡିରୁ ଚାବି ବାହାର କରିନେବ? ଏନେଇ ଆମେ ପରିବହନ ବିଭାଗର ଅଧିକାରୀ ଓ କିଛି ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲୁ । ସେମାନଙ୍କ କହିବା ଅନୁସାରେ, ପୁଲିସ ଗାଡିରୁ ଚାବି ବାହାର କରିପାରିବ ନାହିଁ ।
ଅନ୍ୟ ଟ୍ୱିଟରେ ଟ୍ରାଫିକ ଡିସିପି କହିଛନ୍ତି, ଏକପାଖିଆ ରିପୋର୍ଟିଂ ଜରିଆରେ ପୁଲିସ କିଭଳି ଗୁଣ୍ଡା ପାଲଟିଯାଉଛି ତାହା ଆମୋଦଦାୟକ । ସ୍କୁଲରେ ଛୁଆଙ୍କୁ ଛାଡିବା ପାଇଁ ପ୍ରତିଦିନ ରଙ୍ଗ ସାଇଡରେ ଗାଡି ଚଲାଇବା, ସାଙ୍ଗରେ ଡକ୍ୟୁମେଂଟ ନରଖିବା, ନନ୍ କମ୍ପାଉଣ୍ଡେବୁଲ ଅଫେନସ କରିବା ସତ୍ତେ୍ୱ ଯଦି ଆପଣ କାନ୍ଦନ୍ତି ତେବେ ପୁଲିସକୁ ହୃଦୟହୀନ ସଜାଇ ଦିଆଯାଏ ।
ଏହାରି ଭିତରେ ରଙ୍ଗ ସାଇଡ ଡ୍ରାଇଭିଂ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର । କହିଛନ୍ତି, ରାସ୍ତାରେ ସ୍ପାଇକ ବାରିଅର ଲଗାଯିବ । ଫଳରେ ଭୁଲ ଦିଗରୁ ଗାଡି ଚଳାଇଲେ, ଗାଡି ଲିକ୍ ହୋଇଯିବ ।
ତେବେ ମଙ୍ଗଳବାର ଜଣେ ପୁଲିସ ଅଧିକାରୀ ରାସ୍ତାରେ ଅନେକ ଗାଡି ଅଟକାଇ ଚାବି ବାହାର କରି ହାତରେ ଧରିଥିବା ଦୃଶ୍ୟ ଭାଇରାଲ ହୋଇଥିଲା । ଯାହା ବିବାଦକୁ ତିଆରି କରିବା ସହ ପୁଲିସର ବ୍ୟବହାର ଆଉ ଆଚରଣ ଉପରେ ପ୍ରଶ୍ନ ଉଠାଇଥିଲା । ଏହାପରେ ଟ୍ରାଫିକ ଡିସିପି ଟ୍ୱିଟର ଜରିଆରେ ସମସ୍ତ କଥାର ଜବାବ ରଖୁଥିବା ବେଳେ ରାଜଧାନୀର ବିଭିନ୍ନ ସ୍ଥାନରେ ହେଉଥିବା ରଙ୍ଗ ସାଇଡ ଡ୍ରାଇଭିଂ ପାଇଁ କେବେ କଠୋର ମନୋଭାବ ଦେଖାଯାଉଛି, ତାଉପରେ ନଜର ।