ସରିଲା ନିର୍ଭୟା ଗଣଦୁଷ୍କର୍ମର ସୈତାନ ଅକ୍ଷୟର ଲାଇଫ୍ ଲାଇନ୍ । ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି ।

553

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅକ୍ଷୟ ସିଂ କିଛିଦିନ ତଳେ ରାଜକ୍ଷମା ଆବେଦନ କରିଥିଲା । ରାଷ୍ଟ୍ରପତି ପୂର୍ବରୁ ଏହି ମାମଲାର ଆଉ ଦୁଇ ଦୋଷୀ ମୁକେଶ କୁମାର ସିଂ, ବିନୟ କୁମାର ଶର୍ମାର ଆବେଦନକୁ ଖାରଜ କରିସାରିଛନ୍ତି ।

ଆଜି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଥିଲେ ଯେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମାମଲାକୁ ଅଲଗା ଅଲଗା ବିଚାର କରାଯାଇ ପାରିବ ନାହିଁ । ଏଥିସହ ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ପୂର୍ବରୁ ଦୋଷୀମାନଙ୍କ ନିକଟରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ଉପଲବ୍ଧ ରହିଛି ସେସବୁ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାକୁ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇଦିଆଯାଇଥିଲା । ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି ୪ ଅଭିଯୁକ୍ତମାନଙ୍କୁ ଦୋଷୀ ଘୋଷଣା କରିବା ସହ ମୃତ୍ୟୁଦଣ୍ଡ ଦେଇଥିଲେ । ୫ ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ ।