ପ୍ରିୟଙ୍କାଙ୍କ ଶେଷ ମୁହୁର୍ତ୍ତର କାହାଣୀ । ବାହାଘର ଭୋଜି ସାରି ଫେରୁଥିବା ବେଳେ ଘଟିଗଲା ବଡ଼ ଅଘଟଣ, ହେଲେ କିଡନୀ ଦାନ କରି ସବୁ ଦିନ ପାଇଁ ଅମର ହୋଇଗଲେ ପ୍ରିୟଙ୍କା ।

1,349

କନକ ବ୍ୟୁରୋ : ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତିି ଦିଗପହଣ୍ଡିର ପ୍ରିୟଙ୍କା ରାଜୁ । ଦୁର୍ଘଟଣାର ଶିକାର ହୋଇ ବିଦାୟ ନେବା ପୂର୍ବରୁ ସେ ଯେଉଁ ଦାନ କରି ଯାଇଛନ୍ତି ସେଥିରେ ଆଉ ଦୁଇ ଜଣ ପାଇଛନ୍ତି ନୂଆ ଜୀବନ । ତେଣୁ ସବୁଠି ତାଙ୍କ କାର୍ଯ୍ୟକୁ କରାଯାଉଛି ପ୍ରଶଂସା । ଏବେ ଆସନ୍ତୁ ଜାଣିବା କିଏ ପ୍ରିୟଙ୍କା ଆଉ କେମିତି ଘଟିଥିଲା ତାଙ୍କ ସହ ଦୁର୍ଘଟଣା ।

ଜାନୁଆରୀ ୨୬, ଅପରାହ୍ନ ପ୍ରାୟ ୩ଟା । ସ୍ଥାନ – ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାର ଗଣିଆନାଳ ଛକ । ରାସ୍ତା ଉପରେ ଚୁରମାର ହୋଇଯାଇଥିବା ଏହି କାର କହୁଛି କେତେ ଭୟଙ୍କର ଥିଲା ଦୁର୍ଘଟଣା । କାରର ସାମ୍ନାପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆଉ କାରକୁ ଧକ୍କା ଦେଇ ଓଲଟିପଡିଛି ପିକଅପ୍ ଭ୍ୟାନ । ଦୁର୍ଘଟଣାର ଚିତ୍ର ଦେଖିଲେ ଅନୁମାନ କରିହେଉଛି ଭିତରେ ବସିଥିବା ଯାତ୍ରୀଙ୍କ ଅବସ୍ଥା କଣ ହୋଇଥିବ ।

ବ୍ରହ୍ମପୁରରେ ବଡ ପୁଅ ସଚିନଙ୍କ ଶାଳୀ ବିବାହ ସାରି ଦିଗପହଣ୍ଡି ଫେରୁଥିଲେ ଦିଗପହଣ୍ଡିର ପୂର୍ବତନ କାଉନସିଲର ଭାରତୀ ରାଜୁଙ୍କ ପୁରା ପରିବାର । କାର୍ ଭିତରେ ପରିବାରର ୭ ଜଣ ସଦସ୍ୟ ହସଖୁସିରେ ମସଗୁଲ ଥିଲେ । ଏହି ସମୟରେ ରାସ୍ତାରେ ବିପରିତ ଦିଗରୁ ଦ୍ରୁତ ଗତିରେ ମାଡି ଆସୁଥିଲା ପିକଅପ୍ ଭ୍ୟାନ୍ । ହଠାତ୍ ପିକଅପ୍ ଭ୍ୟାନର ଆଗଚକ ଫାଟିଯାଇଥିଲା । ଏବଂ ନିୟନ୍ତ୍ରଣ ହରାଇ ଆଖି ପିଛୁଳାକେ ପିକଅପ୍ ଭ୍ୟାନଟି ସାମ୍ନାପଟୁ ଆସୁଥିବା କାରକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ପୁରା ପରିବାର ଆହତ ହୋଇଥିଲେ । ତେବେ ଗୁରୁତର ହୋଇପଡିଥିଲେ ମଝିଆ ବୋହୁ ପ୍ରିୟଙ୍କା ଏବଂ ପ୍ରିୟଙ୍କାଙ୍କ ୬ ବର୍ଷର ଝିଅ ସିଦ୍ଧି । ତୁରନ୍ତ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ଅଣାଯାଇଥିଲା । ପରେ ଉନ୍ନତ ଚିକିତ୍ସା ପାଇଁ ଅଣାଯାଇଥିଲା ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ । ତେବେ ସନ୍ଧ୍ୟାରେ ପ୍ରିୟଙ୍କାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ଆଉ ଏବେବି ଝିଅ ସିଦ୍ଧିର ଅବସ୍ଥା ସଂଗୀନ ରହିଛି ।

ବ୍ରେନଡେଡ୍ ଘୋଷଣା କରିବା ପୂର୍ବରୁ ପରିବାରକୁ ସବୁ କଥା ଜଣାଇଥିଲେ ଡାକ୍ତର । ତେବେ ଅନ୍ୟ ଅଙ୍ଗ ସ୍ୱାଭାବିକ ଥିବାରୁ ଅଙ୍ଗଦାନ ପାଇଁ ନିଷ୍ପତି ନେଇଥିଲେ ପରିବାର । ପ୍ରିୟଙ୍କାଙ୍କ ଦୁଇ କିଡନୀ ସମେତ ଦୁଇଟି ଆଖିକୁ ମଧ୍ୟ ଦାନ କରାଯାଇଛି ।