ବାରବାଟୀ ଟି-୨୦ : ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି; ରାତିରୁ ଲମ୍ବା ଲାଇନ ଲଗାଇଛନ୍ତି କ୍ରିକେଟ ପ୍ରେମୀ

127

କନକ ବ୍ୟୁରୋ : ଟିକେଟ ପାଇଁ ରାତି ଅନିଦ୍ରା । ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଆଜି ଠାରୁ କାଉଣ୍ଟରରେ ଟିକେଟ ବିକ୍ରି ହେଉଛି । ହେଲେ ଗତକାଲି ରାତି ଠାରୁ ଟିକେଟ ପାଇ କ୍ରିକେଟପ୍ରେମୀଙ୍କ ଭିଡ଼ ଜମିଛି । ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହେବ । ଦର୍ଶକଙ୍କ ପାଇଁ କାଉଣ୍ଟରରେ ମୋଟ ୧୨ ହଜାର ୯୩ଟି ଟିକେଟ ଉପଲବ୍ଧ ହେବ । ଏଥିରୁ ୧୩୬୨ ଦାମୀ ଟିକେଟ ଓ ୧୦ ହଜାର ୭୩୧ ଗ୍ୟାଲେରି ଟିକେଟ ରହିଛି ।

ଟିକେଟ ବିକ୍ରି ପାଇଁ ମୋଟ ୯ଟି କାଉଣ୍ଟର ହୋଇଛି । ଏଥିରୁ ମହିଳାଙ୍କ ପାଇଁ ୨ଟି ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ଟିକଟ ବିକ୍ରିକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ୍ ଓ ସିଏମସି ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ହାତକୁ ନିଆଯାଇଛି । ପୁଲିସ୍ ପକ୍ଷରୁ କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହେବେ । ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ ।

ସେପଟେ ଆଜି ଭାରତ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ଦିଲ୍ଲୀରେ ଟି-୨୦ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ବାଦ୍ ପଡ଼ିଲେ ଅଧିନାୟକ ଲୋକେଶ ରାହୁଲ । ଆହତ କାରଣରୁ ରାହୁଲ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଂଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଯୁବ ୱିକେଟକିପର ବ୍ୟାଟର୍ ଋଷଭ ପନ୍ତ ଟିମର ନେତୃତ୍ୱ ନେବେ । ପନ୍ତଙ୍କ କ୍ୟାପଟେନ୍ ହେବା ନେଇ ବିସିସିଆଇ ସୂଚନା ଦେଇଛି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିବା ପନ୍ତ ପ୍ରଥମଥର ପାଇଁ ଭାରତୀୟ ଟିମର କ୍ୟାପଟେନ୍ ହେବେ । ରୋହିତ୍ ଶର୍ମାଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ରାହୁଲଙ୍କୁ ଟି-୨୦ ସ୍କ୍ୱାଡର ଅଧିନାୟକ ପନ୍ତଙ୍କୁ ଟିମର ଉପଅଧିନାୟକ କରାଯାଇଥିଲା ।

ଯେହେତୁ ରାହୁଲ୍ ସିରିଜରୁ ବାଦ୍ ପଡ଼ିଛନ୍ତି, ତେଣୁ ତାଙ୍କ ସ୍ଥାନରେ ପନ୍ତଙ୍କୁ ଟିମର ମଙ୍ଗ ଦିଆଯାଇଛି । ସେହିପରି ଆଇପିଏଲର ୧୫ତମ ସଂସ୍କରଣରେ ଗୁଜରାଟ ଟାଇଟନ୍ସକୁ ଚାମ୍ପିୟନ୍ କରାଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମର ଉପଅଧିନାୟକ କରାଯାଇଛି । ରାହୁଲଙ୍କ ବ୍ୟତୀତ ବାମହାତୀ ସ୍ପିନର କୁଲଦୀପ ଯାଦବ ମଧ୍ୟ ଆହତ କାରଣରୁ ବାଦ୍ ପଡ଼ିଛନ୍ତି । ପୂର୍ବରୁ ନିୟମିତ କ୍ୟାପଟେନ୍ ରୋହିତ୍ ଶର୍ମା, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରାଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି । ଏବେ ରାହୁଲଙ୍କ ବାଦ୍ ପଡ଼ିବା ପରେ ଟିମକୁ ବଡ଼ ଝଟକା ଲାଗିଛି