କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସେବା ଭବନ ମନା । ବରଗଛ ମୂଳେ ରିପୋର୍ଟିଂ କରୁଛନ୍ତି ସାମ୍ବାଦିକ ।

190

କନକ ବ୍ୟୁରୋ: ଗୋଟିଏ ପଟେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ରିପୋର୍ଟିଂ ପାଇଁ ଅନୁମତି ମିଳୁନି, ଅନ୍ୟପଟେ ବରଗଛମୂଳରେ ବସି ରିପୋର୍ଟିଂ କରୁଛନ୍ତି ସାମ୍ବାଦିକ । ଯାହାକି ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହା ହେଉଛି ରାଜ୍ୟ ସରକାରଙ୍କର ଅଜବ ନିଷ୍ପତିର ପ୍ରତିଫଳନ ।

କରୋନା ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକମାନଙ୍କୁ ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଉଦ୍ଦେଶ୍ୟ ଥିଲା କରୋନା ସଂକ୍ରମଣ ନବ୍ୟାପୁ । କିନ୍ତୁ ଏହା ଭିତରେ ସବୁକିଛି ଖୋଲି ଗଲାଣି, ସବୁ କିଛି ସ୍ୱାଭାବିକ ହୋଇଗଲାଣି । ହେଲେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏଯାଏଁ ଲୋକସେବା ଭବନ ଯିବାକୁ ଅନୁମତି ଦିଆଯାଉନାହିଁ ।

ପ୍ରାୟ ଏକ ମାସ ପୁର୍ବରୁ କେବଳ ଆର୍କିଡେଟେଡ୍ ବା ଅଧିସୀକୃତ ସାମ୍ବାଦିକଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଗଲା । କିନ୍ତୁ କେତେ ଜଣ ଅଧିସୀକୃତ ସାମ୍ବାଦିକ ମୁଖ୍ୟସ୍ରୋତ ଗଣମାଧ୍ୟମରେ କାମ କରୁଛନ୍ତି ତାହାର ହିସାବ କାହା ପାଖରେ ନାହିଁ । ପ୍ରକୃତରେ ଯେଉଁ ସାମ୍ବାଦିକମାନେ ଟିଭି ଚ୍ୟାନେଲ୍ କିମ୍ବା ଖବରକାଗଜରେ କାର୍ଯ୍ୟରତ ଅଛନ୍ତି, ସେମାନେ ଲୋକସେବା ଭବନକୁ ପ୍ରବେଶ କରି ପାରୁନାହାନ୍ତି । ସରକାରୀ ସ୍ତରରୁ କୌଣସି ସୂଚନା କିମ୍ବା ସରକାରୀ ପ୍ରକ୍ରିୟା ଉପରେ ଜାଣିବା ପାଇଁ ଲୋକସେବା ଭବନରେ ଏହି ସାମ୍ବାଦିକମାନଙ୍କ ପ୍ରବେଶ ନିହାତି ଆବଶ୍ୟକ । ନୂଆ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ କହିଛନ୍ତି ଏହାକୁ ସେ ଗମ୍ଭୀରତାର ସହ ବିଚାର କରିବେ ।

ଅଭିଯୋଗ ହେଉଛି, ସାମ୍ବାଦିକମାନଙ୍କୁ ଜାଣିଶୁଣି ସରକାର ଲୋକସେବା ଭବନରେ ପ୍ରବେଶ କରିବାକୁ ଦେଉନାହାନ୍ତି ସରକାର । କାରଣ ସାମ୍ବାଦିକମାନେ ପ୍ରବେଶ କଲେ ଭିତିରି ଖବର ବାହାରକୁ ଆସିବାର ସମ୍ଭାବନା ଥାଏ । ଅନ୍ୟ ରାଜ୍ୟରେ ଯେତେବେଳେ ସାମ୍ବାଦିକଙ୍କୁ ସଚିବାଳୟରେ ରିପୋଟିଂ ପାଇଁ ସୁଯୋଗ ମିଳୁଛି, ଓଡିଶାରେ କାହିଁକି ଅଟକାଇଛନ୍ତି ସରକାର?