ଅସହ୍ୟ ତାତିରୁ ଏତେ ଶୀଘ୍ର ନିସ୍ତାର ନାହିଁ : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆହୁରି ୨ ଦିନ; ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

166

କନକ ବ୍ୟୁରୋ : ଅସହ୍ୟ ତାତିରୁ ଏତେ ଶୀଘ୍ର ନିସ୍ତାର ନାହିଁ । ଆହୁରି ଦୁଇ ଦିନ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଜି ଗ୍ରୀଷ୍ମ ପ୍ରବାହ ନେଇ ଆଗୁଆ ସତର୍କ କରାଇ ଦେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ପଶ୍ଚିମ ଓଡିଶାର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲେ ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ ଓ ଝାରସୁଗୁଡ଼ା ଓ କଳାହାଣ୍ଡି । ଅତି ଦରକାର ନଥିଲେ ଖରାକୁ ବାହାରିବାକୁ ବାରଣ କରାଯାଇଛି ।

ଏହାସହ ଯଦି ଖରାକୁ ବାହାରକୁ ବାହାରୁଛନ୍ତି ତାହେଲେ ସାଙ୍ଗରେ ପାଣି ନେବାକୁ ପରାମର୍ଶ ଦିଆଯାଇଛି । ସେପଟେ ଜୁନ ମାସର ଦ୍ୱିତୀୟ ସପ୍ତାହ ଚାଲିଥିଲେ ବି ରାଜ୍ୟରେ ପ୍ରାକ-ମୌସୁମୀ ବର୍ଷାର ଦେଖାନାହିଁ । ଅସହ୍ୟତାତିରେ ସିଝୁଛି ପଶ୍ଚିମ ଓଡିଶା । ଉପକୂଳ ଓଡିଶାରେ ବି ପ୍ରବଳ ଗୁଳୁଗୁଳି ଅନୂଭତ ହେଉଛି । ଏସବୁ ଭିତରେ ଗ୍ରୀଷ୍ମପ୍ରବାହ ଆହୁରି ୨ ଦିନ ବୋଲି ଚେତାବନୀ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୩ ତାରିଖ ବେଳକୁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଯୋଗୁଁ ସର୍ବାଧିକ ତାପମାତ୍ରା କମିବ । ପଶ୍ଚିମ ଓଡ଼ିଶାରେ ଗରମ ୧୦ ତାରିଖରୁ ହ୍ରାସ ପାଇ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରି ଭିତରେ ରହିବ । ୧୬ ଓ ୧୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ହାରାହାରି ୫୦ ମିମି ବର୍ଷା ହେବାକୁ ଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ୧୦ରୁ ୩୦ ମିମି ଯାଏ ବର୍ଷା ହେବ । ଏହି ସମୟରେ ରାଜ୍ୟର କେତେକ ସ୍ଥାନରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି । ମାତ୍ର ଅନିୟମିତତା ଯୋଗୁଁ ରାଜ୍ୟରେ ବର୍ଷା କିଛି ଅଞ୍ଚଳ ମଧ୍ୟରେ ସୀମିତ ରହିବ । ବିସ୍ତୁତ ଭାବେ ବର୍ଷ‌ାର ନାହିଁ ।