ବେଙ୍ଗାଲୁରରେ ଶବ, ଓଡିଶାରେ ଧାରଣା ଦେଇଛନ୍ତି ବାପା ମା । ଅର୍ଥ ଅଭାବରୁ ଆଣିପାରୁନାହାନ୍ତି ଝିଅର ମୃତଦେହ

275

କନକ ବ୍ୟୁରୋ: ବେଙ୍ଗାଲୁରରେ ଶବ, ଓଡିଶାରେ ଧାରଣା ଦେଇଛନ୍ତି ବାପା ମା । ଅର୍ଥ ଅଭାବରୁ ଝିଅର ଶବକୁ ଫେରାଇ ଆଣି ପାରୁନଥିବାରୁ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ବାପା ମାଆ । ୨୦୨୧ରେ ପୁରୀ ଜିଲ୍ଲା ବେଣାଗାଁର ସୁମିତ୍ରା ହରିଚନ୍ଦନ ନାମକ ନାବାଳିକାଙ୍କୁ ଚନ୍ଦନ ପାଇକରାୟ ନାମକ ଯୁବକ ପ୍ରେମ ବିବାହ କରି ବେଙ୍ଗାଲୁର ନେଇଯାଇଥିଲେ । ଆଉ ଏବେ ଆସିଛି ଝିଅର ମୃତ୍ୟୁ ଖବର । ହେଲେ, ଝିଅର ଶବ ଫେରାଇ ଆଣିବାକୁ ବାଧକ ସାଜିଛି ଅର୍ଥ ।

ବଢ଼ିଲା ଝିଅର ମୃତ୍ୟୁର ଖବର ଯେତେବେଳେ ମା’ର ପାଖରେ ଆସି ପହଞ୍ଚିଛି, ଆଉ ମୃତଦେହ ସୁଦୂର ବାଙ୍ଗାଲୋରରେ ଅଟକି ରହିଛି, ସେତେବେଳେ କେଉଁ ମା’ର ହୃଦୟ ବା’ ଥୟ ଧରିଥାନ୍ତା । ଝିଅର କଥା ବାହୁନି ବାହୁନି କାନ୍ଦୁଛନ୍ତି ଜଣେ ମା’ । କେତେବେଳେ କାନ୍ଦିକାନ୍ଦି ଅଚେତ୍ ହୋଇଯାଉଛନ୍ତି ତ’ କେତେବେଳେ ଝିଅର ମୃତଦେହ ଫେରାଇ ଆଣିବା ପାଇଁ ନେହୁରା ହେଉଛନ୍ତି । ୯ଦିନ ହେଲାଣି ଝିଅର ମୃତ୍ୟୁ ହୋଇସାରିଛି । ହେଲେ ଅର୍ଥାଭାବରୁ ଝିଅର ମୃତଦେହ ଘରକୁ ଆଣିପାରୁନାହିଁ । ଏଭଳି ସ୍ଥିତିରେ ଝିଅର ମୃତଦେହ ବେଙ୍ଗାଲୁରୁ ଫେରାଇ ଆଣିବାକୁ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ବାପା ମାଅ।।

୨୦୨୧ରେ ପୁରୀ ଜିଲ୍ଲା ବେଣାଗାଁର ସୁମିତ୍ରା ହରିଚନ୍ଦନ ନାମକ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ । ଏନେଇ କଣାସ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି ତତ୍ପରତା ଦେଖାଇନଥିଲା । କିଛି ଦିନ ପରେ ଘର ଲୋକ ଜାଣିବାକୁ ପାଇଥିଲେ, ସୁମିତ୍ରାକୁ ଅଭିଷେକ ପାଇକରାୟ ନାମକ ଜଣେ ଯୁବକ ପ୍ରେମ ବିବାହ କରି ବେଙ୍ଗଲୋର ନେଇଯାଇଛି । ଏହାର କିଛି ମାସ ପରେ ବେଙ୍ଗାଲୋରରୁ ଝିଅ ଫୋନ କରି ତାକୁ ନିର୍ଯାତନା ଦିଆଯାଉଛି, ତେଣୁ ଘରକୁ ନେଇଯିବାକୁ ବାପା ମାଆଙ୍କୁ କହିଥିଲେ । ହେଲେ ଅର୍ଥ ଅଭାବରୁ ଯାଇପାରିନଥିଲେ ପରିବାର ଲୋକେ । ଆଉ ଗତ ୬ ତାରିଖରେ ବେଙ୍ଗାଲୋରରେ ଝିଅର ମୃତ୍ୟୁ ହୋଇଥିବା ଫୋନ କରି କହିଥିଲେ ଅଭିଷେକ ପାଇକରାୟ ।

ଅଭିଯୁକ୍ତ ଅଭିଷେକ ପାଇକରାୟକୁ ବାଙ୍ଗାଲୋର ପୁଲିସ ଅଟକ ରଖିଥିବା ବେଳେ ସୁମିତ୍ରାଙ୍କ ମୃତଦେହକୁ ସ୍ଥାନୀୟ ଏକ ହସ୍ପିଟାଲ ରଖାଯାଇଛି । ମୃତଦେହକୁ ନେଇଯିବା ପାଇଁ ପରିବାର ଲୋକଙ୍କୁ କୁହାଯାଇଥିବା ବେଳେ ଘଟଣା ସମ୍ପର୍କରେ ପୁରୀ ଏସପି ଏବଂ ପୁଲିସ ଡିଜିଙ୍କୁ ସୂଚନା ଦିଆଯାଇଛି ।

୯ ଦିନ ହେଲାଣୀ ବାଙ୍ଗାଲୋରରେ ପଡ଼ି ରହିଛି ଝିଅର ମୃତଦେହ । ହେଲେ ଅର୍ଥ ଅଭାବ ଯୋଗୁଁ ଝିଅର ମଲା ମୁହଁ ଥରେ ଦେଖିପାରୁ ନାହାଁନ୍ତି ପରିବାର ଲୋକ । ଆଉ ପ୍ରଶାସନର ସାହାରା ଆଶାରେ ଧାରଣା ଦେଉଛନ୍ତି ମା’ ବାପା ।