ଜଳୁଛି ଜଙ୍ଗଲ, ଆକ୍ସନରେ ବନବିଭାଗ । କେତେ ଲିଭିଛି ଜଙ୍ଗଲ ନିଆଁ ? ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ଉଦବେଗ

103

କନକ ବ୍ୟୁରୋ: ଓଡିଶାରେ ଜଙ୍ଗଲ ଭୟଙ୍କର ଭାବେ ଜଳୁଛି ବୋଲି ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ କହିବା ପରେ ତତ୍ପରତା ପ୍ରକାଶ କରିଛି ବନବିଭାଗ । ବନବିଭାଗ ଦ୍ୱାରା ଦାବି କରାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ଲାଗିଥିବା ନିଆଁର ୯୫ପ୍ରତିଶତ ଲିଭାଯାଇସାରିିଛି । ୧୩ ତାରିଖ ସନ୍ଧ୍ୟାରେ ଜାରି ସାଟେଲାଇଟ ଇମେଜରେ କୁହାଯାଇଛି, ମୋଟ ୨୧୯୨ ସ୍ଥାନରେ ଲାଗିଥିଲା ନିଆଁ । ବର୍ତ୍ତମାନ ୨୦୭୮ ସ୍ଥାନରେ ସରିଛି ନିଆଲିଭା କାମ ।

ରାଜ୍ୟର ବଡ ବଡ ଜଙ୍ଗଲରେ ନିଆଁ ଲାଗିଛି । ଅନ୍ୟ ରାଜ୍ୟରେ ନିଆଁ ଲାଗୁଥିଲେ ବି ଏହାକୁ ଆୟତ୍ତ କରାଯାଉଥିବାବେଳେ ରାଜ୍ୟରେ କିନ୍ତୁ କମୁନି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ବନଖଣ୍ଡ ନିଆଁ ଆଁରେ ଆସୁଛି , ଯାହା ଚିନ୍ତା ବଢାଉଛି ।

  • ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ଉଦବେଗ
  • ବିରୋଧୀ ମାଗିଲେ ଜବାବ

ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସର ଜଙ୍ଗଲ ନିଆଁ ପ୍ରସଙ୍ଗ ଉଠାଇ ଜବାବ ମାଗିଛନ୍ତି ବିଧାୟକ ସୁରେଶ ରାଉତରାୟ । କହିଛନ୍ତି ଜଙ୍ଗଲରେ ନିଆଁ ଜଳୁଛି, ତାକୁ ଲିଭାଇବା ପାଇଁ ମନ୍ତ୍ରୀ କଣ ପଦକ୍ଷେପ ନେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାର ଉତ୍ତର ଦେଇ କହିଛନ୍ତି, ସାଟେଲାଇଟରେ ଯାହା ଆସୁଛି, ସେଥିରେ କେବଳ ଜଙ୍ଗଲ ନିଆଁ ଦେଖାଯାଉ ନାହିଁ । ଚାଷୀ ଉନ୍ନତମାନର ଚାଷ କରିବା ପାଇଁ ଧାନ ଅମଳରେ ପରେ ସେହି ବିଲରେ ନିଆଁ ଲଗାଇ ଦେଉଛନ୍ତି । ସେଥିପାଇଁ ସାଟେଲାଇଟରେ ଅଧିକ ନିଆଁ ଲାଗିଥିବା ନଜରକୁ ଆସୁଛି । ମୁଖ୍ୟ ଶାସନ ସଚିବ ଜଙ୍ଗଲ ନିଆଁର ସମୀକ୍ଷା ବୈଠକ କରିଛନ୍ତି । ଯେଉଁମାନେ ଜଙ୍ଗଲରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ନୂଆ ଅଞ୍ଚଳକୁ ନିଆଁ ବ୍ୟାପିବା ଦ୍ୱାରା ବନ କର୍ମଚାରୀ ନୟାନ୍ତ ହୋଇଛନ୍ତି । ଘଣ୍ଟା ଘଣ୍ଟା ଧରି ପରିଶ୍ରମ କଲେ ବି କୌଣସି ସୁଫଳ ମିଳୁନାହିଁ । ଫଳରେ ବଡଧରଣର ବନାଗ୍ନି ସାମ୍ନାକୁ ଆସୁଛି । ଜଙ୍ଗଲ ନିଆଁ ଲିଭାଇବା ପାଇଁ ଯାଉଥିବାବେଳେ ପାଉଁଶ ହୋଇଯାଇଛି ସରକାରୀ ଜିପ । ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ୍ ଅନ୍ତର୍ଗତ ଭବାନୀପୁର ଜଙ୍ଗଲରେ ନିଆଁ ଲାଗିଥିବା ନେଇ ବନବିଭାଗ ଜଙ୍ଗଲକୁ ଯାଇଥିଲା ।