ପାହାଡରେ ଫୁଟିଲା ପଦ୍ମ : ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପିକୁ ବହୁମତ; ମେଘାଳୟରେ ଝୁଲା ଜନମତ

373

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତର-ପୂର୍ବର ୩ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ବଡ ବିଜୟ ହାସଲ କରିଛି । ତ୍ରିପୁରାରେ ବିଜେପି ଓ ନାଗାଲାଣ୍ଡରେ ବିଜେପି ସହଯୋଗୀ ମେଣ୍ଟ ଜିତିଥିବାବେଳେ ମେଘାଳୟରୁ ଝୁଲା ବିଧାନସଭା ହେବା ସ୍ପଷ୍ଟ ହୋଇଛି ।

ଉତ୍ତର-ପୂର୍ବର ମୋଟ ୮ଟି ରାଜ୍ୟ ମଧ୍ୟରୁ ୭ଟି ରାଜ୍ୟରେ ବିଜେପି କ୍ଷମତାସୀନ ହୋଇଛି । ଦିନେ ଏହି ଅଞ୍ଚଳରେ ଶକ୍ତିଶାଳୀ ଥିବା କଂଗ୍ରେସ ଏଥର କୌଣସି ବି ରାଜ୍ୟରେ ଦୁଇଅଙ୍କ ଛୁଇଁ ପାରିନାହିଁ । ତ୍ରିପୁରାରେ ଦ୍ୱିତୀୟ ଥର ଲାଗି କ୍ଷମତାସୀନ ହୋଇଛି ବିଜେପି । ବାମଦଳ-କଂଗ୍ରେସ ମେଣ୍ଟ କଡା ଟକ୍କର ଦେଇଥିଲେ ବି ପଛରେ ପଡିଛନ୍ତି । ଉତ୍ତର-ପୂର୍ବରେ ବିଜେପିର ବଡ ବିଜୟ ପରେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ପାଳିଛି ବିଜୟ ଉତ୍ସବ । ପ୍ରଧାନମନ୍ତ୍ରୀ ମୋଦି ଉତ୍ତର-ପୂର୍ବ ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ତ୍ରିପୁରା

ତ୍ରିପୁରା ବିଧାନସଭା ପାଇଁ ମୋଟ ୬୦ ଆସନ ମଧ୍ୟରୁ ବିଜେପି ୩୩ ଆସନରେ ବିଜୟୀ ବା ଆଗୁଆ ରହିଛି । ନୂଆ ଭାବେ ଗଠିତ ଟିପ୍ରା ମୋଥା ପାର୍ଟି, ଟିଏମପି ଭଲ ପ୍ରଦର୍ଶନ କରିଛି । ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦିତା କରି ଦଳ ପାଇଛି ୧୩ଟି ଆସନ । ସେହିଭଳି କଂଗ୍ରେସ-ବାମଦଶ ମେଣ୍ଟ ୧୪ ଆସନ ହାସଲ କରିଛନ୍ତି । ସିପିଏମ ୧୧ ଆସନ ପାଇଥିବାବେଳେ କଂଗ୍ରେସ ୩ଟି ଆସନ ପାଇଛି ।

ନାଗାଲାଣ୍ଡ

ନାଗାଲାଣ୍ଡରେ ବି ବିଜେପି ସହଯୋଗୀ ମେଣ୍ଟ ବହୁମତ ହାସଲ କରିଛି । ନ୍ୟଫ୍ୟୁ ରିଓଙ୍କ ନେତୃତ୍ୱାଧୀନ ଏନଡିପିପି-ବିଜେପି ମେଣ୍ଟ ୩୭ ଆସନ ହାସଲ କରିଥିବାବେଳେ, ଏନପିଏଫ ୨ ଓ ଅନ୍ୟ ୨୧ଟି ଆସନ ହାସଲ କରିଛନ୍ତି । ଏଠାରେ କଂଗ୍ରେସ ଖାତ ବି ଖୋଲିପାରିନାହିଁ । ଏନଡିପିପିର ମୁଖ୍ୟ ନ୍ୟଫ୍ୟୁ ରିଓ ଲାଗାତାର ୫ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ଏସ.ସି ଜମିରଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏ ରାଜ୍ୟର ୩ ଥର ମୁଖ୍ୟମନ୍ତ୍ରୀ ଥିଲେ ।

ମେଘାଳୟ

ସେପଟେ ମେଘାଳୟରେ କିନ୍ତୁ ଝୁଲା ବିଧାନସଭା ହେବା ସ୍ପଷ୍ଟ ହୋଇଛି । ରାଜ୍ୟର ମୋଟ ୬୦ ଆସନ ମଧ୍ୟରୁ କର୍ଣ୍ଣଡ ସାଙ୍ଗମାଙ୍କ ନେତୃତ୍ୱାଧୀନ ଏନପିପି ୨୬ ଟି ଆସନ ଜିତିଥିବାବେଳେ କଂଗ୍ରେସ ୫ଟି ଆସନ ପାଇଛି । କର୍ଣ୍ଣଡ ସାଙ୍ଗମା ହେଉଛନ୍ତି ପୂର୍ବତନ ବାଚସ୍ପତି ପି.ଏ.ସାଙ୍ଗମାଙ୍କ ପୁଅ । ବିଜେପି ଓ ଅନ୍ୟାନ୍ୟ ଦଳ ୨୮ଟି ଆସନ ପାଇଛନ୍ତି । ବିଜେପି ୩ଟି ଆସନ ପାଇଥିବାବେଳେ ଅନ୍ୟାନ୍ୟ ୨୫ ଆସନ ପାଇଛନ୍ତି । ସବୁଠାରୁ କ୍ଷତି ହୋଇଛି କଂଗ୍ରେସର । କଂଗ୍ରେସ ଗତଥର ଏଠାରେ ୨୧ ଟି ଆସନ ଜିତିଥିଲା ଏଥର କିନ୍ତୁ ଦଳ ଦୁଇଅଙ୍କ ବି ଛୁଇଁପାରିନାହିଁ । ତେବେ ମେଘାଳୟରେ ଏନପିପି-ବିଜେପି ମିଳିତ ସରକାର ଗଠନ ହେବା ସଙ୍କେତ ମିଳୁଛି ।