ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ତେଜିଲା ପ୍ରତିବାଦ : ଲୋକଙ୍କ ଅସନ୍ତୋଷକୁ ନେଇ କେନ୍ଦ୍ର ବିରୋଧରେ ଆଜି ରାଜରାସ୍ତାକୁ ଓହ୍ଲାଇବ ବିଜେଡି

82

କନକ ବ୍ୟୁରୋ : ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ବାରମ୍ବାର ରୋଷେଇ ଗ୍ୟାସ ଦର ବୃଦ୍ଧି କରି କେନ୍ଦ୍ର ସରକାର ରୋଷେଇ ଶାଳ ଉପରେ ମାଡ କରିଛନ୍ତି । ଜନ ଅସନ୍ତୋଷକୁ ନେଇ ଆଜି ରାଜଭବନ ଆଗରେ ବିଜୁ ମହିଳା ଜନତା ଦଳ ବିକ୍ଷୋଭ କରିବ । ରାଜଭବନ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରି ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବାକୁ ଦଳ ଦାବି କରିବ ।

ଗ୍ୟାସ ବୃଦ୍ଧିକୁ ବିରୋଧ କରି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି । ହଠାତ୍ ଗ୍ୟାସ୍‌ ଦର ୫୦ଟଙ୍କା ବଢ଼ିବା ନିଷ୍ପତ୍ତିକୁ କେହି ଗ୍ରହଣ କରିପାରୁନାହାନ୍ତି। ସବୁ ବର୍ଗର ଲୋକଙ୍କୁ ଏହା ବାଧୁଛି । ଦରବୃଦ୍ଧି ସମସ୍ତଙ୍କୁ କନ୍ଦାଇଲାଣି । ଏମିତି ଲାଗୁଛି, ଯେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁନାହାନ୍ତି ଦେଶରେ ଗରିବ ଲୋକଙ୍କର କଲ୍ୟାଣ ହେଉ। ଗ୍ୟାସ୍ ଦର ହଠାତ୍ କାହିଁକି ବଢ଼ିଲା ସେନେଇ ବିଜେପି କାହିଁକି ଚୁପ୍ ରହିଛି ବୋଲି ପ୍ରଶ୍ନ କରିଛନ୍ତି ।

୨୦୧୪ରେ ମୋଦୀଙ୍କ ନେତୃତ୍ବରେ କେନ୍ଦ୍ରରେ ସରକାର ଆସିବା ପରେ କେନ୍ଦ୍ରର ଉଜ୍ଜ୍ବଳା ଯୋଜନା ସାଧାରଣ ଲୋକଙ୍କୁ ଛୁଇଁଥିଲା । କେନ୍ଦ୍ର ସରକାର ପ୍ରଚାର କଲେ ଯେ ଦେଶର ତଥା ଓଡ଼ିଶାର ମା’ ଭଉଣୀ ଚୁଲି ଫୁଙ୍କି ଆଖିରୁ ଆଉ ଲୁହ ବାହାରିବନି ବୋଲି ଉଜ୍ୱଳା ଯୋଜନାରେ ରିହାତି ଦରରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି । ହେଲେ ଏଲ୍‌ପିଜି ରନ୍ଧନ ଗ୍ୟାସର ଦର ହୁ ହୁ ହୋଇ ବଢ଼ିବା ଦ୍ବାରା ଓଡ଼ିଶାର ମା’ ଭଉଣୀଙ୍କ ଆଖିରେ କେବଳ ଲୁହ ଆସିନି ବରଂ ସମସ୍ତଙ୍କୁ କଷ୍ଟ ଦେଇଛି ।

୨୦୧୪ରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ୪୧୦ଟଙ୍କା ଥିଲା । ଏବେ ୧୧୦୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ୯ବର୍ଷରେ ଗ୍ୟାସ୍‌ ଦର ପ୍ରାୟ ୩ଗୁଣା ବଢ଼ିବା ସମସ୍ତଙ୍କୁ ବାଧୁଛି । ୨୦୧୪ ବେଳେ ରାଜ୍ୟରେ ୨୧ଲକ୍ଷ ଗ୍ୟାସ୍ ଉପଭୋକ୍ତା ଥିଲେ, କିନ୍ତୁ ଏବେ ୮୮ଲକ୍ଷରୁ ଅଧିକ ‌ଉପଭୋକ୍ତା । ଓଡ଼ିଶାର ୮୦% ଘରେ ଗ୍ୟାସ୍ ଚୁଲା ଜଳୁଛି । ଏତିକି ପରିବାର ଗ୍ୟାସ ବୃଦ୍ଧିକୁ ଗ୍ରହଣ କରିପାରୁ ନାହାନ୍ତି ।