ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ : ଭୁବନେଶ୍ୱର କିମ୍ସ ଶବଗୃହରୁ ବାସଭବନକୁ ନିଆଯିବ ପାର୍ଥିବ ଶରୀର

106

କନକ ବ୍ୟୁରୋ : ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ । ହାଇଦ୍ରାବାଦରୁ ମରଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଭୁବନେଶ୍ୱର କିମ୍ସ ଶବଗୃହରେ ରଖାଯାଇଛି । ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ମରଶରୀର ଶେଷଦର୍ଶନ ପାଇଁ ରହିବ । ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ । ବୁଧବାର ରାତିରେ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଥିଲା ।

ପିଣ୍ଟୁ ନନ୍ଦ ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ଆଲବମ ହିରୋରୁ ଫିଲ୍ମ ହିରୋ, କମେଡିରୁ ଭିଲେନ, ଅଭିନୟର ସବୁ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି ପିଣ୍ଟୁ । ପ୍ରଶଂସକଙ୍କ ପ୍ରାର୍ଥନା ତାଙ୍କୁ ବଞ୍ଚାଇ ପାରିନି ସତ, ହେଲେ ହସାଉଥିବା, କନ୍ଦାଉଥିବା, ଡରାଉଥିବା ଓ ମନୋରଞ୍ଜନ କରୁଥିବା ପିଣ୍ଟୁ, ଦର୍ଶକଙ୍କ ହୃଦୟରେ ସେମିତି ବଂଚିରହିବେ । ପିଣ୍ଟୁ ନନ୍ଦଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଓ ଛତିଶଗଡ ରାଜ୍ୟପାଳ ଶୋକ ପ୍ରକାଶ କରିଛନ୍ତି ।