ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ବେଳେ ଭଗବତ ଗୀତା ପାଠ ! ହଲିଉଡ ଫିଲ୍ମ ଓପେନହାଇମରକୁ ନେଇ ତେଜୁଛି ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି

310

କନକ ବ୍ୟୁରୋ : ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ବେଳେ ଭଗବତ ଗୀତା ପାଠ, ତେଜିଲା ବିବାଦ । ହଲିଉଡ ଫିଲ୍ମ ଓପେନହାଇମର ଗତ ସପ୍ତାହରେ ରିଲିଜ୍ ହୋଇଛି । ଯେଉଁଥିରେ ଆପତ୍ତିଜନକ ସିନ୍ ବେଳେ ଭଗବତ ଗୀତା ପାଠ କରାଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି । ହଲିଉଡ ନିର୍ଦ୍ଦେଶକ ଖ୍ରୀଷ୍ଟୋଫରଙ୍କ ଏହି ଫିଲ୍ମ ରବର୍ଟ ଓପେନହାଇମରଙ୍କ ଉପରେ ଆଧାରିତ । ବିଶ୍ୱର ପ୍ରଥମ ପରମାଣୁ ବୋମା ତିଆରି କରିବାରେ ରବର୍ଟ ମାଷ୍ଟର ମାଇଣ୍ଡ ।

ଅଭିନେତା ସିଲିୟନ ମର୍ଫି ରବର୍ଟ ଓପେନହାଇମର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଜଣେ ମହିଳା ସମ୍ଭୋଗ କରୁଛନ୍ତି । ଏହି ସମୟରେ ମହିଳା ଜଣଙ୍କ ଓପେନହାଇମରଙ୍କୁ ବଡ ପାଟିରେ ଭଗବତ ଗୀତା ପାଠ କରାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି । ବକ୍ସ ଅଫିସରେ ଏହି ଫିଲ୍ମଟି ଭଲ ପ୍ରଦର୍ଶନ କରୁଛି । ସେଭ୍ କଲଚର ସେଭ୍ ଇଣ୍ଡିଆ ଫାଉଣ୍ଡେସନ ସଂଗଠନ ଏହାକୁ ବିରୋଧ କରିଛି ।

କିଭଳି ଏବଂ କେଉଁ ପରିସ୍ଥିତିରେ ଭାରତରେ ଏହି ଫିଲ୍ମ ରିଲିଜ କରିବାକୁ ଅନୁମତି ଦିଆଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଫିଲ୍ମରେ ଆପତିଜନକ ସିନ୍ ବେଳେ ଗୀତ ପାଠ କରାଇ ହିନ୍ଦୁ ସଂସ୍କୃତିକୁ ଅପମାନ କରାଇବାକୁ ପ୍ରୟାସ ହୋଇଛି ବୋଲି ସଂଗଠନ କହିଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ମାମଲାରେ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଭାରତ ସରକାରଙ୍କ ସୂଚନା କମିଶନର ଫିଲ୍ମକୁ ନେଇ ଆପତି ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।