ସ୍କୁଲରେ ଖାଅ, ବାହାରେ ହାତ ଧୁଅ । ଛାତ୍ରଛାତ୍ରୀଙ୍କ ଖୁଲମଖୁଲା ବାହାରକୁ ଛାଡି ଦେଉଛନ୍ତି ସ୍କୁଲ କର୍ତୁପକ୍ଷ, ଭଦ୍ରକ ଘଟଣା ପରେ ମଧ୍ୟ ଚେତା ପଶୁନି

23

କନକ ବ୍ୟୁରୋ : ତଥାପି ଚେତି ନାହାଁନ୍ତି ବାଙ୍କୀ ବ୍ଲକର ବିଭିନ୍ନ ସ୍କୁଲ କର୍ତୁପକ୍ଷ । ସ୍କୁଲ ସମୟରେ ପରିସର ବାହାରକୁ ଛାତ୍ରଛାତ୍ରୀଙ୍କୁ ଛାଡିଦେଉଛନ୍ତି । ଏପରିକି ମଧ୍ୟାହ୍ନ ଭୋଜନ ଖାଇବା ପରେ ଧୋଇ ହେବା ପାଇଁ ରାସ୍ତାରେ ଧାଡି ବାନ୍ଧି ଚାଲିଛନ୍ତି କୁନି କୁନି ପିଲା । ଯାହାକୁ ନେଇ ଉଠିଛି ପ୍ରଶ୍ନ ।

ସ୍କୁଲରେ ଖାଅ, ବାହାରେ ହାତ ଧୁଅ । ସତେ ଯେମିତି ବାଙ୍କି ଅଂଚଳର କେତେକ ସ୍କୁଲରେ ଜାରି ହୋଇଛି ଏହି ଅଲିଖିତ ନିୟମ । କଟକ ଜିଲ୍ଲା ବାଙ୍କି ବ୍ଲକରେ ଥିବା ବଡ ନୟାପୁଟ୍ ପଂଚାୟତର ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳୁଛି । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିବା ପରେ ଧାଡି ବାନ୍ଧି ଥାଳି ଓ ହାତ ଧୋଇବାକୁ ବାହାରକୁ ଯାଉଛନ୍ତି ଏହ କୋମଳମତି ଛାତ୍ରଛାତ୍ରୀ । ବିଦ୍ୟାଳୟ ପରିସରରେ ପାଣି ଟାଙ୍କି ରହିଥିଲେ ମଧ୍ୟ ପିଲାମାନଙ୍କୁ ହାତ ଧୋଇବାକୁ ଅତି ବିପଦପୂର୍ଣ୍ଣ ଭାବେ ସ୍କୁଲ ପରିସର ବାହାରକୁ ଛାଡି ଦିଆଯାଉଛି । ଏପରିକି ବାହାରକୁ ଯାଇ ପାଣି ଆଣିବାଠୁ ଆରମ୍ଭ କରି ରୋଷେଇ କାର୍ଯ୍ୟରେ ମଧ୍ୟ ନିୟୋଜିତ କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅବହେଳା କଥାକୁ ସ୍ୱୀକାର ମଧ୍ୟ କରିଛନ୍ତି ବିଦ୍ୟାଳୟ କର୍ତୁପକ୍ଷ ।

କେବଳ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ନୁହେଁ ବାଙ୍କୀ ବ୍ଲକରେ ଥିବା ଏହିପରି ଅନେକ ସ୍କୁଲର ସମାନ ଅବସ୍ଥା । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ପର୍ଯ୍ୟନ୍ତ ବିଦ୍ୟାଳୟ ପରିସର ଭିତରେ ଛାତ୍ରଛାତ୍ରୀମାନଙ୍କୁ ରଖିବା ପାଇଁ କଡା ନିର୍ଦ୍ଦେଶ ରହିଛି । ମାତ୍ର ବାଙ୍କୀ ବ୍ଲକରେ ସରକାରଙ୍କ ଏହି ନିର୍ଦ୍ଦେଶକୁ ପାଳନ କରାଯାଉନାହିଁ । ତେବେ ଏହି ଘଟଣାର ତଦନ୍ତ କରାଯାଇ ଅବହେଳା କରିଥିବା ବିଦ୍ୟାଳୟ କର୍ତୁପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତିି ବ୍ଲକ୍ ସହକାରୀ ଶିକ୍ଷା ଅଧିକାରୀ ।