ଆସିଲେ ଅନ୍ଧାଧୁନ ଗୁଳିକଲେ… ରାଉଣ୍ଡ ପରେ ରାଉଣ୍ଡ ଗୁଳି ଫୁଟିଲା, ଗ୍ୟାଙ୍ଗଷ୍ଟାର ଟଳିପଡିଲା…

613

କନକ ବ୍ୟୁରୋ: ପୋଲିସ ଥିଲା, ହାତରେ ହାତକଡି ପଡିଥିଲା, ସାମ୍ନାରେ ଗଣମାଧ୍ୟମ ପ୍ରତିନିଧି ଜମା ହୋଇଥିଲେ । ମେଡିକାଲ ପାଖରେ ମିଡିଆ ଆଗରେ ମୁହଁ ଖୋଲିଲା ବେଳେ ଗୁଳିଶବ୍ଦ ଶୁଭିଲା । ହଠାତ ବାଇଟ ଦେଉଥିବା ପ୍ରୟାଗରାଜର କୁଖ୍ୟାତ ଅପରାଧୀ ଟଳିପଡିଲା । ସେତିକିରେ ସରିନଥିଲା ଗୁଳିକାଣ୍ଡର ଆତଙ୍କିତ ମୂହୁର୍ତ୍ତ । ଆତିକର ଭାଇ ଅଶରଫକୁ ବି ସେଇଠି ଗୁଳିମାଡ କରି ହତ୍ୟା କଲେ ୩ ଦୁର୍ବୃତ୍ତ । ରାଉଣ୍ଡ ପରେ ରାଉଣ୍ଡ ଗୁଳି ଫୁଟିବାର ଶବ୍ଦରେ ଥରିଲା ଘଟଣାସ୍ଥଳୀ । ଆଉ ଅପରାଧୀକୁ ଗୁଳି କରି ଆତଙ୍କ ରଚୁଥିବା ୩ ଦୁର୍ବୃତ୍ତଙ୍କୁ ଧରିଛି ପୋଲିସ ।

ତେବେ ଯାହା ନାଁ ଶୁଣିଲେ ଦିନେ ପୂରା ଉତ୍ତରପ୍ରଦେଶ କମ୍ପୁଥିଲା, ଭୟ ସୃଷ୍ଟି ହେଉଥିଲା, ସେହି ବାହୁବଳୀ ନେତା ତଥା ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦଙ୍କ ପୁଅକୁ ବି ଏନକାଂଉଟର କରିଛି ୟୁପି ପୁଲିସ । ୟୁପି ପୁଲିସର ସୂଚନା ଅନୁସାରେ, ଅସଦ ଝାନସୀରେ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏସଟିଏଫ । ଅସଦ ଓ ତାର ସହଯୋଗୀକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । କିନ୍ତୁ ସେ ପୁଲିସ ଉପରକୁ ଗୁଳିମାଡ କରିଥଲା । ତାପରେ ପୋଲିସ ପାଲଟା ଗୁଳିମାଡ କରିଥିଲା । ଆଉ ସେହି ଗୁଳିମାଡରେ ଅସଦର ମୃତ୍ୟୁ ହୋଇଥିଲା ।

ଏନକାଉଂଟରରେ ତାର ଜଣେ ସହଯୋଗୀର ବି ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ଖବର ପାଇ ଅତିକ ଅହମ୍ମଦ କୁଆଡେ ଚେତା ହରାଇ ଦେଇଥିଲା । ୨ ମାସ ହେବ ଗ୍ୟାଙ୍ଗଷ୍ଟର ଅତିକର ଦୁଇ ପୁଅ ଅସଦ ଅହମଦ ଓ ସହଯୋଗୀ ଗୁଲାମକୁ ଖୋଜୁଥିଲା ପୁଲିସ । ୨୦୦୫ ବିଏସପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ପାଲଙ୍କୁ ଗତ ଫେବୃଆରୀ ୨୪ ତାରିଖରେ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିଥିଲା ଅସଦ । ଆତିକର ନିର୍ଦ୍ଦେଶ କ୍ରମେ ପୁଅ ଅସଦ ଏହି ଗୁଳିକାଣ୍ଡ କରିଥିବା ଅଭିଯୋଗ ହୋଇଥିଲା । ଆଉ ଅସଦ ବିରୋଧରେ ପ୍ରମାଣ ପାଇବା ପରେ ତାକୁ ଖୋଜୁଥିଲା ୟୁପି ପୁଲିସ । ଆଜି ଆତିକ ଓ ତା ଭାଇକୁ ଚେକ୍ ଅଫ୍ ପାଇଁ ପ୍ରୟାଗରାଜ ନିଆଯାଉଥିବା ବେଳେ ଗୁଳିମାରି ମାରି ଦେଇଛନ୍ତି ଦୁବୃର୍ତ୍ତ । ଏହି ଘଟଣାରେ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି ।