ଏପ୍ରିଲ ୧ ତାରିଖ ଯାଏ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିମାଣ୍ଡ ଅବଧି । କୋର୍ଟରେ ଇଡି କହିଲା ଜବତ ମୋବାଇଲର ଚାଲିଛି ଅନୁଧ୍ୟାନ

75

କନକ ବ୍ୟୁରୋ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡ ଅବଧି ବୃଦ୍ଧି କରିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏହାକୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏବେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧ରେ ହେବ । ଅପରାହ୍ନ ୨ଟାରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିମାଣ୍ଡ ଆବେଦନ କରିବା ସମୟରେ ଇଡି କହିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କ ମୋବାଇଲ ଏହି ମାମଲାରେ ବ୍ୟବହାର ହୋଇଛି । ଏବେ ଏହାର ବିଶ୍ଳେଷଣ କରାଯାଉଛି । ତେବେ ଅନ୍ୟ ୪ଟି ଡିଜିଟାଲ ଡିଭାଇସ୍ ଡାଟା ଜବତ କରାଯାଇଛି । ଏହି ସବୁ ମୋବାଇଲ କେଜ୍ରିୱାଲଙ୍କ ସହ ଲିଙ୍କ ରହିଛି । ମାର୍ଚ୍ଚ ୨୧ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ଚଢ଼ାଉ ବେଳେ ଏହି ସବୁ ମୋବାଇଲ ମିଳିଥିଲା । କୋର୍ଟରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଯାହା ଘଟୁଛି ତାହା ରାଜନୈତିକ ଷଡ଼ଯନ୍ତ୍ରର ଏକ ଅଂଶ । ଆପ୍ ଆବାହକଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଦାବି କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ଏବେ ତାଙ୍କର ସୁଗାର ଲେବୁଲ କମିଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହଇରାଣ କରାଯାଉଛି   । କ୍ଷମତାର ଅପ ବ୍ୟବହାର କରି ଦେଶରେ ଏକଛତ୍ରବାଦ ଶାସନ ଚଳାଇଥିବା ସରକାରକୁ ଲୋକମାନେ ଜବାବ୍ ଦେବେ ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଅରବିନ୍ଦ କେଜ୍ରିୱାଲଙ୍କୁ ହଟାଇବା ମାମଲାରେ କୌଣସି ନ୍ୟାୟିକ ହସ୍ତକ୍ଷେପ ନାହିଁ । ଦିଲ୍ଲୀ ହାଇକୋର୍ଟ ଗୁରୁବାର ଏହା କହିଛନ୍ତି । ଏହାପରେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଜଣେ ଆବେଦନକାରୀ କେଜ୍ରିୱାଲଙ୍କୁ ହଟାଇବା ପାଇଁ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । କୋର୍ଟ ପଚାରିଥିଲେ ଜେଲରେ ଥିବା ବେଳେ ଜଣେ ମୁଖ୍ୟମନ୍ତ୍ରୀ ରହିପାରିବେ ନାହିଁ ବୋଲି କେଉଁଠି ନିଷେଧାଦେଶ ରହିଛି ଦେଖାଅ । ସେଭଳି କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ । ତେଣୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଆବେଦନକାରୀଙ୍କ ଆବେଦନକୁ ଖାରଜ କରିବାକୁ କହିଛନ୍ତି । ଅଦାଲତ ଜନସ୍ୱାର୍ଥ ମାମଲାର ଶୁଣାଣି କରି କହିଛନ୍ତି ଯେ ଯେହେତୁ କେଜ୍ରିୱାଲଙ୍କ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ, ତେଣୁ ଅଦାଲତ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଯଦି ସାମ୍ବିଧାନିକ ବିଫଳତା ହୁଏ ତେବେ ରାଷ୍ଟ୍ରପତି କିମ୍ବା ଏଲଜି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୋର୍ଟ କହିଛନ୍ତି । କୋର୍ଟ କିନ୍ତୁ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କହିପାରିବେ ନାହିଁ ବୋଲି କହିଛନ୍ତି । ଦିଲ୍ଲୀର ସୁରଜିତ ସିଂହ ଯାଦବ ନାମକ ଜଣେ ବ୍ୟକ୍ତି ଏହି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଯାଦବ ଯୁକ୍ତି ବାଢ଼ିଥିଲେ ଯେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରେ ରହିଲେ ଆଇନର ଉପଯୁକ୍ତ ପ୍ରକ୍ରିୟାରେ ଏବଂ ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ । ଯାହା ସାମ୍ବିଧାନିକ ବ୍ୟବସ୍ଥାକୁ ମଧ୍ୟ ଭାଙ୍ଗିଦେବ । ଆର୍ôଥକ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପଦରେ ରହିବା ଠିକ୍ ନୁହେଁ ।