୫-‘ବି’ରେ କିଏ ହେବେ ପ୍ରାର୍ଥୀ? ପୁଣି ସରପ୍ରାଇଜ ଦେବେ କି ନବୀନ?

547

କନକ ବ୍ୟୁରୋ: ବିଜେଡିର ୫-‘ବି’ ଦ୍ୱନ୍ଦ୍ୱ । ରାଜ୍ୟରେ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲେ ବି ବାକି ୬ଟି ଆସନରେ ଏ ଯାଏଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ବ୍ରହ୍ମପୁର, ବଲାଙ୍ଗୀର, ଭଦ୍ରକ, ବାଲେଶ୍ୱର ଓ ବରଗଡ ଲୋକସଭା ଆସନରେ କିଏ ପ୍ରାର୍ଥୀ ହେବ ସେ ନେଇ ଉକ୍ରଣ୍ଠା ବଢିଛି । ଏହି ୬ଟି ଆସନ ମଧ୍ୟରୁ ୩ଟି ଆସନରେ ବିଜେଡି ମହିଳା ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ହୋଲି ପରଦିନ ବିଜେଡି ସୁପ୍ରିମୋ ଦୁଇଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଆସନରେ ପ୍ରାର୍ଥୀଙ୍କ ଘୋଷଣା କରିଦେଲେ । କିନ୍ତୁ ୫ଟି ଆସନ ବ୍ରହ୍ମପୁର,ବଲାଙ୍ଗୀର,ଭଦ୍ରକ, ବରଗଡ ଓ ବାଲେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣାକୁ ଝୁଲାଇ ରଖିଛି ବିଜେଡି । ବ୍ରହ୍ମପୁର ଓ ବାଲେଶ୍ୱରରେ ବଡ ଲଢେଇ ହେବାକୁ ଥିବାବେଳେ ଅନ୍ୟ ୩ ଆସନରେ ବି କଡା ଟକ୍କର ହେବ ବୋଲି କୁହାଯାଉଛି । ତେଣୁ ବିଜେଡି ସୁପ୍ରିମୋ କାହା ନାଁ ଘୋଷଣା କରି ସରପ୍ରାଇଜ ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ରହ୍ମପୁରରେ ପ୍ରଦୀପଙ୍କୁ ଟକ୍କର ଦେବ କିଏ?
ପୁରୁଣା ନା ନୂଆ ମୁହଁକୁ ଆଣିବେ ସୁପ୍ରିମୋ

ବ୍ରହ୍ମପୁର,ବଲାଙ୍ଗୀର,ଭଦ୍ରକ, ବରଗଡ ଓ ବାଲେଶ୍ୱରରେ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି । ବ୍ରହ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଟକ୍କର ଦେବା ପାଇଁ ବିଜେଡି ପୁଣି ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିବ ନା ତୃତୀୟ ବ୍ୟକ୍ତିଙ୍କୁ ମୈଦାନକୁ ଆଣିବ ତା ଉପରେ ସମସ୍ତଙ୍କ ନଜର ରହିଛି । ବାଲଙ୍ଗୀରରେ ସଙ୍ଗୀତା ସିଂହଦେଓଙ୍କୁ ବିଜେପି ରିପିଟ କରିଥିବାବେଳେ ବିଜେଡି ସରପ୍ରାଇଜ ଦେବ ବୋଲି ଚର୍ଚ୍ଚା ହେଉଛି । ଭଦ୍ରକରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ଅଭିମନ୍ୟୁ ସେଠୀ । ଅଭିମନ୍ୟୁଙ୍କ ବାପା ଅର୍ଜୁନ ସେଠୀ ବିଜେଡିର ବଡ ନେତା ଥିଲେ । ତେଣୁ ଏଠାରୁ ଅଭିମନ୍ୟୁଙ୍କୁ ଚେକ୍ ଦେବା ପାଇଁ ମଞ୍ଜୁଲତା ମଣ୍ଡଳଙ୍କୁ ପୁଣି ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳିପାରେ ବୋଲି କୁହାଯାଉଛି । ବାଲେଶ୍ୱର ବି ବିଜେପିର ବଡ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ବରଗଡରେ ପ୍ରଦୀପ ପୁରୋହିତଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ କିଏ ହେବ ସେ ନେଇ ଚର୍ଚ୍ଚା ଜାରି ରହିଛି ।

୩ ଆସନରେ ମହିଳା ପ୍ରାର୍ଥୀ?
ଅଙ୍କକଷା ସରିଛି, ଘୋଷଣାକୁ ଅପେକ୍ଷା
ଲୋକସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଧାରରେ ଆଉ ୩ ମହିଳାଙ୍କୁ ବିଜେଡି ଲୋକସଭା ଆସନ ପାଇଁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ୩୩ ପ୍ରତିଶତ ଆଧାର ରହିଲେ ୨୧ ଲୋକସଭା ଆସନ ମଧ୍ୟରୁ ୭ଟିରେ ମହିଳା ପ୍ରାର୍ଥୀ ରହିବା କଥା । ପୂର୍ବରୁ ଯାଜପୁର, ଜଗତସିଂହପୁର, ଆସ୍କା ଓ କୋରାପୁଟ ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି । ତେଣୁ ଆଉ ୩ଟି ଆସନରେ ବିଜେଡି ମହିଳା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି କୁହାଯାଉଛି ।