ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ସାମନାକୁ ଆସି କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡିତା ଛାତ୍ରୀ

170

କନକ ବ୍ୟୁରୋ: ରାଗିଂ ଅଭିଯୋଗକୁ ନେଇ ବିଜେବି କଲେଜ ଉଠୁଥିବା ପଡୁଥିବାବେଳେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସରଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଜଣେ ଛାତ୍ରୀଙ୍କ ନିଜ କ୍ୱାର୍ଟରକୁ ଡାକି ଓଡିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକ ଯୌନ ଶୋଷଣ କରିଥିବା ଅଭିଯୋଗ ଉଗ୍ର ରୂପ ନେଇଛି । ଏନେଇ ନିଜେ ଛାତ୍ରୀ ଜଣଙ୍କ ସାମନାକୁ ଆସି ବୟାନ ଦେବା ସହ ଅଭିଯୁକ୍ତ ପ୍ରଫେସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅଭିଯୋଗ ଅନୁସାରେ କିଛି ଦିନ ତଳେ ପ୍ରଫେସର ଜଣଙ୍କ ଏହି ଛାତ୍ରୀଙ୍କୁ ରୁମକୁ ଡାକି ଅସଦାଚରଣ କରିଥିଲେ ।ଏନେଇ ତାଙ୍କ ବନ୍ଧୁମାନେ ଜାଣିବା ପରେ ପ୍ରଫେସରଙ୍କୁ ମାଡ ମାରିଥିଲେ । ଆଉ ମାଡ ଖାଇବା ପରେ ଫ୍ରଫେସର ଥାନାରେ ଅଭିଯୋଗ କରିଥିଲେ । ଛାତ୍ରୀ ଜଣଙ୍କ ପ୍ରଫେସରଙ୍କ ବିରୋଧରେ ବି ଅଭିଯୋଗ କରିଥିଲେ । କିନ୍ତୁ ପ୍ରଫେସରଙ୍କ ଅଭିଯୋଗକୁ ଆଧାର କରି ଦୁଇ ଛାତ୍ରଙ୍କୁ ପୁଲିସ ଗିରଫ କରି ଜେଲ ପଠାଇ ଦେଇଥିଲା । ହେଲେ ପ୍ରଫେସରଙ୍କୁ ଜାମିନ ମିଳିଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି ।

ଏସବୁ ଭିତରେ ପ୍ରଫେସରଙ୍କୁ ମାଡ ମାରିଥିବା ଛାତ୍ରଙ୍କ ବିରୋଧରେ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି ବିଶ୍ୱବିଦ୍ୟାଳୟ ଶାନ୍ତି କମିଟି । ସେମାନଙ୍କୁ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାକୁ ଅନୁମତି ଦିଆଯାଇ ନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ତାତି ଉଠିଛନ୍ତି । ପିଜି କାଉଁସିଲ ଫାଟକ ସମୁଖରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିଯୁକ୍ତ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଛାତ୍ରମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେବାକୁ ଦାବି କରିଛନ୍ତି । ବିଶ୍ୱବିଦ୍ୟାଳୟ କର୍ତୁପକ୍ଷ କହିଛନ୍ତି ଛାତ୍ରୀ ଜଣଙ୍କ ଆଣିଥିବା ଅଭିଯୋଗର ଅନୁଧ୍ୟାନ କରାଯାଉଛି । ବ୍ରହ୍ମପୁରର ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ବିରୋଧରେ ଛାତ୍ରୀ ଅଭିଯୋଗ ସତ ହୋଇଥିଲେ ସାଂଘାତିକ ।