ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ପ୍ରଥମ ଦିନରୁ ହିଁ ବିରୋଧୀ କଲେ ହଙ୍ଗାମା।

75

କନକ ବ୍ୟୁରୋ: ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଜିଏସିଟି ଓ ମୁଦ୍ରାସ୍ପିତି ବୃୃଦ୍ଧିକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ରାଜ୍ୟସଭା ଓ ଲୋକସଭାରେ ହଟ୍ଟଗୋଳ କରି ଗୃହକାର୍ଯରେ ବାଧା ସୃଷ୍ଟି କରିଥିଲେ । ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।

ଏଥରକ ଅଧିବେଶନ ସଫଳତା ପୂର୍ବକ ସାରିବା ପାଇଁ ସଂସଦର ସମସ୍ତ ସଦସ୍ୟଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ବିତର୍କରେ ଅଂଶଗ୍ରହଣ କରି ଅଧିବେଶନକୁ ଅଧିକରୁ ଅଧିକ ଫଳପ୍ରଦ କରିବା ସାଂସଦମାନଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ସମସ୍ତଙ୍କ ପ୍ରୟାସ ବଳରେ ଆମ ସଂସଦ କାର୍ଯ୍ୟ କରେ । ସର୍ବୋତ୍ତମ ନିଷ୍ପତି ଗ୍ରହଣ କରୁଥିବାରୁ ସାଂସଦମାନେ ନିଜର ଭୂମିକା ସୂଚାରୁରୂପେ ତୁଳାନ୍ତୁ । ମନରେ କୌଣସି ପ୍ରକାର ଦ୍ୱନ୍ଦ କିମ୍ବା ଦ୍ୱିଧା ନରଖି ସଂସଦରେ ବିତର୍କ ଓ ଆଲୋଚନା କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅଧିବେଶନ ଆରମ୍ଭରେ ରାଜ୍ୟସଭାରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ, ୟୁଏଇର ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାଏଦ ଅଲ ନାହାନ, ଶାସ୍ତ୍ରୀୟ ସଂଗୀତଜ୍ଞ ପଣ୍ଡିତ ଶିବକୁମାର ଶର୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଦିଂବଗତଙ୍କ ପାଇଁ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଛି । ଏଥରକ ଅଧିବେଶନରେ ସରକାର ୩୨ଟି ବିଲ ତାଲିକାଭୁକ୍ତ କରିଛନ୍ତି । ସେଥିମଧ୍ୟରେ ୧୪ଟି ନୂଆ ବିଲ ରହିଛି । ସଂସଦରେ ବର୍ତମାନ ୩୫ଟି ବିଲ ବିଚାରଧୀନ ରହିଛି । ।

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ନୂଆ ୨୮ଜଣ ସଦସ୍ୟମାନଙ୍କୁ ଶପଥ ପାଠ କରାଯାଇଛି । ଜୁଲାଇ ୧୮ରୁ ଆରମ୍ଭ ହୋଇଥିବା ଅଧିବେଶନ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ । ତେବେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରୀ ଓ ସାଂସଦଙ୍କୁ ନେଇ ବୈଠକ କରିବା ସହ ବିରୋଧୀ ମଧ୍ୟ ସରକାରଙ୍କୁ ଗୃହରେ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରି ବୈଠକ କରିଥିଲେ ।