ଦିନକ ପରେ ଅକ୍ଷୀତୃତୀୟା : ହେଲେ ବର୍ଷାର ମିଳୁନି ଦେଖା, ଆଶଙ୍କାରେ ଚାଷୀକୂଳ

70

ଯାଜପୁର : ଦିନକ ପରେ ଅକ୍ଷୀତୃତୀୟା । ବିଲରେ ଅକ୍ଷୀମୁଠୀ ବୁଣିବେ ଚାଷୀ । ଏନେଇ ମନରେ ଅନେକ ଆଶା ଓ ଉତକଣ୍ଠା । ହେଲେ ଏବେସୁଧା ବର୍ଷାର ଦେଖାନାହିଁ । ସେପଟେ ଚାଷ ଜମି ଟାଙ୍ଗରା ହୋଇ ପଡିରହିଛି । କିଭଳି ହେବ ଫସଲ ସେହି ଚିନ୍ତାରେ ଏବେ ଯାଜପୁର ଜିଲ୍ଳା ଚାଷୀକୂଳ । ଗତ ବର୍ଷ କମ୍ ବର୍ଷା ହେବା ଯୋଗୁ ମରୁଡି ଦେଖାଦେଇଥିଲା । ଚଳିତ ବର୍ଷ ଧାନ ବୁଣା ସମୟ ଆସିଯାଇଥିଲେ ମଧ୍ୟ ବର୍ଷା ନହେବାରୁ ଚାଷୀ ଚିନ୍ତାରେ ପଡିଛି । ଏହି  ଆଶା ଆଶଙ୍କା ଭିତରେ ମଧ୍ୟ ଅକ୍ଷୀତୃତୀୟାରେ ବିହନ ଅନୁକୁଳ କରିବାକୁ ସଜବାଜ ଆରମ୍ଭ କରିଦେଇଛି ଚାଷୀ ।

ସେପଟେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ବି ସମାନ ଅବସ୍ଥା । ବିଲ ଟାଙ୍ଗରା ଭୂଇଁ ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ, ଅଖିମୁଠି ବୁଣିଲେ ବିହନ ବୁଡିଯିବ ବୋଲି ଆଶଙ୍କା ପ୍ରକାଶ କରିଛି ଚାଷୀକୂଳ । ଏହାର କାରଣ ହେଉଛି ଅସହ୍ୟ ଖରା ସାଙ୍ଗକୁ ବର୍ଷାର ଅଭାବ । ତେବେ ପରମ୍ପରାକୁ ରକ୍ଷା କରିବାକୁ ଚାଷୀ ଅଖିମୁଠି ବୁଣିବେ ବୋଲି ସ୍ପଷ୍ଟ କରିଛନ୍ତି । ସାରା ରାଜ୍ୟରେ ଏନେଇ ଏବେ ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଛି , କିଭଳି ହେବ ଚାଷ କାର୍ଯ୍ୟ ।

ଅନ୍ୟପଟେ ପାଣିପାଗ ବିଭାଗ ଆକଳନ କରିଛି , ରାଜ୍ୟର କେତେକାଂଶରେ କାଳେବୈଶାଖୀ ସହ ବର୍ଷା ହୋଇପାରେ । ନୟାଗଡ, କେନ୍ଦୁଝର, କନ୍ଧମାଳ, ବାରିପଦା , ଅନୁଗୁଳ ଓ ଦେଓଗଡରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଆସନ୍ତା ୯, ୧୦ ଓ ୧୧ ତାରିଖରେ ଉତର ଓ ଉପକୂଳ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।