ବିଜେପିରେ ସାମିଲ ହେଲେ ମୁଲାୟମଙ୍କ ବୋହୂ । ପୁଅ ଅଖିଳେଶ କହିଲେ…

388

କନକ ବ୍ୟୁରୋ : ପଦ୍ମ ଶିବିରରେ ଅଖିଳେଶଙ୍କ ଭାଇ ବୋହୂ ଅପର୍ଣ୍ଣା । ବିଧାନସଭା ନିର୍ବାଚନକୁୂ ନେଇ ଉତ୍ତରପ୍ରଦେଶ ରାଜନୀତି ରୋଚକ ହେଉଥିବା ବେଳେ ଅଖିଳେଶଙ୍କୁ ବଡ ଝଟକା ଦେଇଛନ୍ତି ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଆଜି ସାଇକେଲକୁ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଅପର୍ଣ୍ଣା । ଆଉ ଏହାକୁ ଚଳିତ ଉତ୍ତରପ୍ରଦେଶ ରାଜନୀତିରେ ସବୁଠୁ ବଡ ଦଳ ଅଦଳବଦଳ ବୋଲି କୁହାଯାଉଛି ।

ଅପର୍ଣ୍ଣା ବିଜେପିରେ ସାମିଲ ହେବା ପରେ ଅଖିଳେଶ ଯାଦବ ମୁହଁ ଖୋଲିଛନ୍ତି । ବିଜେପିରେ ସାମିଲ ହୋଇଥିବାରୁ ଅପର୍ଣ୍ଣାଙ୍କୁ ଶୁଭକାମନା ଜଣାଇବା ସହ ଅଖିଳେଶ କହିଛନ୍ତି, ସମାଜବାଦୀ ବିଚାରଧାରାର ବିସ୍ତାର ହେଉଛି । ଯାହାଙ୍କୁ ଆମେ ଟିକେଟ ଦେଇପାରୁନାହୁଁ ସେମାନଙ୍କୁ ବିଜେପି ଟିକେଟ ଦେଉଛି । ମୋର ବିଶ୍ୱାସ ବିଜେପିରେ ମଧ୍ୟ ଆମର ବିଚାରଧାରା ରହିବ । ତେବେ ଅପର୍ଣ୍ଣାଙ୍କୁ ମୁଲାୟମ ସିଂ ଯାଦବ ଅନେକବାର ବୁଝାଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ ସେ ମାନିନାହାନ୍ତି । ତେବେ ଅପର୍ଣ୍ଣାଙ୍କୁ ସମାଜବାଦୀ ପାର୍ଟିରୁ ଟିକେଟ ନ ମିଳିବାରୁ ସେ ବିଜେପିରେ ସାମିଲ ହେଲେ କି ପ୍ରଶ୍ନର ଉତ୍ତରରେ ଅଖିଳେଶ କହିଛନ୍ତି, ଏବେଯାଏଁ ସମସ୍ତ ପ୍ରାର୍ଥୀଙ୍କୁ ଟିକେଠ ବଣ୍ଟାଯାଇନାହିଁ । ତୃଣମୂଳସ୍ତରରୁ ଆସିଥିବା ବିଭିନ୍ନ ରିପୋର୍ଟ ଆଧାରରେ ହିଁ କାହାକୁ ଟିକେଟ ଦିଆଯିବ ଓ କାହାକୁ ଦିଆଯିବନି ତାହା ସ୍ଥିର ହୋଇଥାଏ ।

ବିଜେପିରେ ସାମିଲ ହେବା ପରେ ଅପର୍ଣ୍ଣା କହିଛନ୍ତି, ମୋ ପାଇଁ ଦେଶ ସର୍ବପ୍ରଥମ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ମୁଁ ପ୍ରଭାବିତ । ଏବେ ମୁଁ ରାଷ୍ଟ୍ରର ବିକାଶକୁ ଆଗେଇ ନେବା ପାଇଁ ଆଗକୁ ଆସିଛି । ତେଣୁ ସମସ୍ତଙ୍କର ସହଯୋଗ ଆବଶ୍ୟକ । ବିଜେପିରେ ସାମିଲ ହୋଇ ଅପର୍ଣ୍ଣା ଖୁସିବ୍ୟକ୍ତ କରିବା ସହ ମୋଦୀ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ, ମହିଳାଙ୍କ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ପ୍ରଂଶସା କରିଛନ୍ତି ଅପର୍ଣ୍ଣା ।

ଅପର୍ଣ୍ଣା ଯାଦବ ୨୦୧୭ରେ ସମାଜବାଦୀ ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ବିଜେପି ପ୍ରାର୍ଥୀଙ୍କ ଠାରୁ ଅପର୍ଣ୍ଣା ପରାଜିତ ହୋଇଥିଲେ ମଧ୍ୟ ପ୍ରାୟ ୬୩ ହଜାରରୁ ଅଧିକ ଭୋଟ ହାତେଇଥିଲେ । ତେଣୁ ଅପର୍ଣ୍ଣା ସେହି ଭୋଟବ୍ୟାଙ୍କ ବଳରେ ବିଜେପିରେ ସାମିଲ ହୋଇ ବିଜୟ ବାନା ଉଡାଇବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ହେଉଛନ୍ତି ଅପର୍ଣ୍ଣା । ତେଣୁ ପରିବାରରୁ କେହି ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଯିବା ସମାଜବାଦୀ ଦଳ ପାଇଁ ଅଡୁଆ ବଢାଇପାରେ ।

ଏହାପୂର୍ବରୁ ଅନେକ ସମୟରେ ଅପର୍ଣ୍ଣା ଯାଦବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଂଶସା କରୁଥିବାର ଦେଖିବାକୁ ମିଳିଛି । ଏପରିକି ରାମମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ୧୧ ହଜାର ଚାନ୍ଦା ଦେଇଥିଲେ ଅପର୍ଣ୍ଣା । ଏକ ସାକ୍ଷାତକାରରେ ଅପର୍ଣ୍ଣା କହିଥିଲେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଣେ ଯୋଗୀ । ସାଧୁ ସନ୍ଥଙ୍କୁ ସମ୍ମାନ ଦେବା ପାଇଁ ମୋ ପରିବାରରୁ ମୋତେ ସଂସ୍କାର ମିଳିଛି । ତେଣୁ ସେହି ହିସାବରେ ଯୋଗୀ ଆଦିତ୍ୟନାଥଙ୍କୁ ମୁଁ ସମ୍ମାନ କରେ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ଯୋଗୀଙ୍କୁ ସମ୍ମାନ ଦେଉଥିଲି । ଯେହେତୁ ସେ ଜଣେ ଗୋ-ପ୍ରେମୀ ତେଣୁ ତାଙ୍କ ପ୍ରତି ମୋର ସମ୍ମାନ ରହିଛି । ଏଭଳି କହି ପରୋକ୍ଷରେ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଂଶସା କରିବା ସହ ବିଜେପି ମୁହାଁ ହେଉଥିବା ନେଇ ସଂକେତ ଦେଇଥିଲେ ଅପର୍ଣ୍ଣା ।