ଖବର ପ୍ରସାରଣ ପରେ ୟୁଟ୍ୟୁବରଙ୍କ ଚେତା ପଶିଲା। ସୋସିଆଲ ମିଡିଆରୁ ଡିଲିଟ କଲେ ମିଛ ଭିଡିଓ।

1,059

କନକ ବ୍ୟୁରୋ: ମିଛ କଥା କହି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରି ନିଜର ସବସ୍କ୍ରାଇବର ଓ ଭିୟୁ ବଢାଇବା ପାଇଁ ପ୍ରଶ୍ନପତ୍ର ଦେବାଭଳି ଦାବି କରୁଥିବା ୟୁଟ୍ୟୁବରଙ୍କ ମନରେ ଛନକା ପଶିଛି । ଏନେଇ ମଙ୍ଗଳବାର ଦିନ କନକ ନ୍ୟୁଜରେ ଖବର ପ୍ରସାରିତ ହୋଇଥିଲା । ଅଭିଷେକ ପଣ୍ଡା ନାମକ ଜଣେ ୟୁଟ୍ୟୁବର ନିଜ ଚ୍ୟାନେଲର ଭିୟୁ ଓ ସବସ୍କ୍ରାଇବ ବଢାଇବା ପାଇଁ ଠକାମୀର ଜାଲ ବୁଣିଥିଲେ । ଆଉ ଖବର ପ୍ରସାରଣ ପରେ ଯେଉଁ ଭିଡିଓରେ ଅଭିଷେକ ମିଛ ପ୍ରତିଶ୍ରୁତି ଦେଉଥିଲେ ଓ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଠକୁଥିଲେ, ଏବେ ସେହି ଭିଡିଓକୁ ନିଜେ ଡିଲିଟ କରିଦେଇଛନ୍ତି । ସମ୍ପୃକ୍ତ ୟୁଟ୍ୟୁୁବ ଚ୍ୟାନେଲରେ ଏବେ ଆଉ ସେହି ଭିଡିଓ କିଛି ନାହିଁ ।

କନକ ନ୍ୟୁଜରେ ଏହି ଖବର ପ୍ରସାରଣ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପର ହୋଇଛି । ପ୍ରଶ୍ନପତ୍ର ଭାଇରାଲ ନେଇ ସାଇବର ଥାନାରେ ଏତଲା ଦିଆଯାଇଛି । ଛାତ୍ରଛାତ୍ରୀ ଏଭଳି ନକଲି ପ୍ରଶ୍ନପତ୍ରରେ ପ୍ରଭାବିତ ନହେବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଖବରକାଗଜରେ ବିଜ୍ଞାପନ ଦେଇ ଠକଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏହି ବିଜ୍ଞାପନରେ ଲେଖା ଅଛି ଯେ, କିଛି ଅସାଧୁ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଭ୍ରାନ୍ତିକର, ଅସତ୍ୟ, ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଥିବା ପରିଷଦର ଦୃଷ୍ଟିକୁ ଆସିଛି । ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ସତର୍କ କରାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଦିନକୁ ଦିନ ଛତୁ ଫୁଟିବା ଭଳି ଚ୍ୟାନେଲ ତିଆରି ହେଉଛି । ସବସ୍କ୍ରାଇବର ବଢାଇବା ପାଇଁ ୟୁଟ୍ୟୁବର ମିଛ ଭିଡିଓ ଅପଲୋଡ ବି କରୁଛନ୍ତି । ଏହା ଉପରେ ଅଙ୍କୁଶ ଲଗାଯିବା ପକ୍ଷରେ ମତ ଦେଇଛନ୍ତି ସାଇବର ବିଶେଷଜ୍ଞ । ଖବର ପ୍ରସାରଣ ପରେ ଭିଡିଓ ଡିଲିଟ ହୋଇଯାଇଛି ସତ, କିନ୍ତୁ ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରୁଥିବା ୟୁଟ୍ୟୁବର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କେବେ ଅଭିଷେକ କେବେ ହେବେ ଗିରଫ ।