ଇମ୍ରାନ ବିଦା ହେବା ପରେ ପ୍ରଧାନମନ୍ତ୍ରୀ ଦୈଡ଼ରେ ଶାହାବାଜ ସରିଫ: କଶ୍ମୀର ପ୍ରସଙ୍ଗରେ କହିଲେ ଏମିତି କଥା

300

କନକ ବ୍ୟୁରୋ: ପଡୋଶୀ ପାକିସ୍ତାନରେ କିଛି ଦିନ ହେଲା ଚାଲିଥିବା ରାଜନୈତିକ ସଂକଟ ନିର୍ଣ୍ଣାୟକ ମୋଡ ନେଇଛି  । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସଂସଦରେ ଆସ୍ଥା ଭୋଟରେ ଇମ୍ରାନ ଖାନ ପରାଜିତ ହୋଇଛି  । ଫଳରେ ପାକିସ୍ତାନରେ ଇମ୍ରାନ ଖାନ ସରକାରର ପତନ ଘଟିଛି । ପାକିସ୍ତାନର ନେସନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟରେ ବିରୋଧୀ ବିଜୟୀ ହୋଇଛନ୍ତି । ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ ପଡିଥିବା ବେଳେ ବିରୋଧରେ ଗୋଟିଏ ବି ଭୋଟ ପଡିନାହିଁ । ଭୋଟ ପୂର୍ବରୁ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମସ୍ତ ସାଂସଦ କକ୍ଷ ତ୍ୟାଗ କରିଥିଲେ, କେହି ମତଦାନ ପ୍ରକ୍ରିୟାରେ ସାମିଲ ହୋଇନଥିଲେ । ଫଳରେ ଫଳାଫଳ ଏକପାଖିଆ ବିରୋଧୀଙ୍କ ସପକ୍ଷରେ ଯାଇଥିଲା । ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ସରକାର କ୍ଷମତାରୁ ବିଦା ହୋଇଛି ।

ଆସନ୍ତାକାଲି ପାକିସ୍ତାନ ସଂସଦ ନୂଆ ପ୍ରଧାନମନ୍ତ୍ରୀ ବାଛିବ ବୋଲି ସୂଚନା ମିଳିଛି । ତେବେ ବିରୋଧୀ ଦଳ ନେତା ତଥା ପାକିସ୍ତାନ ମୁସଲିମ ଲିଗ ନୱାଜର ସାଂସଦ ଶାହବାଜ ସରିଫ ପରବର୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କ ଭାଇ । ଅନାସ୍ଥା ଭୋଟ୍କୁ ସାମ୍ନା କରିବା ପୂର୍ବରୁ ଅସାମ୍ବିଧାନିକ ଭାବେ ପାକିସ୍ତାନ ନେସନାଲ ଆସେମ୍ଲିକୁ ଭଙ୍ଗ କରିଦେଇଥିଲେ ଇମ୍ରାନ୍ ଖାନ୍ । ଏସଂପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଅନାସ୍ଥା ଭୋଟ୍ର ସାମ୍ନା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବହୁ ବାଦ ବିବାଦ ପରେ ଶେଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗାଦିଚ୍ୟୁତ ହୋଇଛନ୍ତି । ଅନାସ୍ଥା ଭୋଟ୍ରେ ବହିଷ୍କୃତ ହେବାରେ ଇମ୍ରାନ୍ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । ଗତକାଲି ଦିନ ତମାମ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

– ଅନାସ୍ଥା ଭୋଟ୍ ପୂର୍ବରୁ ଇସ୍ତଫା ଦେଇଥିଲେ ଉଭୟ ବାଚସ୍ପତି ଓ ଉପବାଚସ୍ପତି

– ଅନାସ୍ଥା ଭୋଟ୍ କରାଇଥିଲେ ଜଣେ ଅସ୍ଥାୟୀ ବିଚାରପତି

– ମତଦାନ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ଇମ୍ରାନଙ୍କ ଦଳର ସମସ୍ତ ସଦସ୍ୟ

– ଇମ୍ରାନ୍ ଖାନ୍ଙ୍କ ବିରୋଧରେ ପଡ଼ିଥିଲା ୧୭୪ଟି ଭୋଟ୍

– ଅନାସ୍ଥାରେ ହାରିବା ପରେ ସରକାରୀ ବାସଭବନ ଛାଡିଛନ୍ତି ଇମ୍ରାନ ଖାନ

– ଇମ୍ରାନ୍ ପାକିସ୍ତାନ ଛାଡିବା ଉପରେ ରୋକ୍ ଲଗାଇବାକୁ ବିରୋଧୀଙ୍କ ଦାବି

– ଇମ୍ରାନ୍ଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସମର୍ଥକ

– ଲାହୋର ସହ ଇସଲାମାବାଦରେ ଆନ୍ଦୋଳନ ପାଇଁ ସମର୍ଥକଙ୍କ ପ୍ରସ୍ତୁତି

– ସିଲ କରାଯାଇଛି ଇସଲାମାବାଦର ସମସ୍ତ ପ୍ରବେଶ ପଥ

– ଇସଲାମାବାଦରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସେନା ମୁତୟନ