ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ ପୂର୍ବରୁ ତେଜିଲା ରାଜନୀତି । ବ୍ୟଙ୍ଗାତ୍ମକ ଟ୍ୱିଟ୍ କରି ଟାର୍ଗେଟ କଲେ ସମ୍ବିତ ପାତ୍ର ।

164

କନକ ବ୍ୟୁରୋ : ପୁରୀ ମେଡିକାଲ କଲେଜ ଉଦଘାଟନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଟୁଇଟ କରି କହିଛନ୍ତି, ଏହାର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ଉଚିତ । ବିଜେଡି ସରକାର ଏହାର କ୍ରେଡିଟ୍ ନେବାକୁ ଚେଷ୍ଟା କରିବା ଉଚିତ ନୁହେଁ । ସେପଟେ ବିଜେଡି କହିଛି ସେହି ସମୟରେ କିଏ ମିଳିବେ, ତାହା ସରକାର ନିଷ୍ପତି ନେବେ ।

ମେଡିକାଲ କଲେଜ୍ ପାଇଁ ମୁହାଁମୁହିଁ । ଉଦଘାଟନ ପୂର୍ବରୁ ଶ୍ରେୟ ଲଢେଇ । ସୋମବାର ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାକୁ ଥିବା ବେଳେ, ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ଶ୍ରେୟ ଲଢେଇ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଏହି ମେଡିକାଲ କଲେଜ ନିର୍ମାଣ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତିି ବିଜେପି ରାଷ୍ଟ୍ରୀୟ ପବକ୍ତା ସମ୍ବିତ ପାତ୍ର । ଟୁଇଟ କରି କହିଛନ୍ତି ମେଡିକାଲ କଲେଜର ଉଦଘାଟନ ପାଇଁ ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ସେ ଆଶା କରୁଛନ୍ତି । ଯାହା ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ ଓ ସବକା ପ୍ରୟାସ ମନ୍ତ୍ରକୁ ସାକାର କରିବ । କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ସବୁବେଳେ ହଡପ କରି ମିଛ ପ୍ରଶଂସା ପାଇବାକୁ ଉଦ୍ୟମ କରୁଥିବା କହିଛି ରାଜ୍ୟ ବିଜେପି ।

ଦେଶର ୧୫୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରିବା ପାଇଁ ନିଷ୍ପତି ନେଇଥିଲେ କେନ୍ଦ୍ର ସରକାର । ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ତିନୋଟି ପର୍ଯ୍ୟାୟରେ ଏହି ମେଡିକାଲ କଲେଜ ଗୁଡିକ ନିର୍ମାଣ କରାଯାଉଛି । ଯେଉଁଥିରେ ରାଜ୍ୟ ୪୦ ପ୍ରତିଶତ ଅର୍ଥ ବହନ କରିବ ଓ ବାକି ୬୦ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ମିଳିବ ।

କେନ୍ଦ୍ରୀୟ ଅନୁଦାନରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ମେଡିକାଲ କଲେଜ ଗୁଡିକର ଶିଳାନ୍ୟାସ ଓ ଉଦଘାଟନ ବାବଦରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସମ୍ପୃକ୍ତ ରାଜ୍ୟ ସରକାର ତୁରନ୍ତ ଜଣାଇବାକୁ ଚିଠି ଲେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ପ୍ରତିନିଧିଙ୍କୁ ସୁହାଇଲା ଭଳି ଉତ୍ସବ ଆୟୋଜନ କରିବାକୁ ମଧ୍ୟ କହିଥିଲେ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ହେଲେ ନବୀନ ସରକାର କେବେ ମିଛ କ୍ରେଡିଟ ନେବାକୁ ଚାହାନ୍ତି ନାହିଁ ବୋଲି କହିଛି ବିଜେଡି ।

ପିଏମଏସଏସୱାଇ ଯୋଜନାରେ ରାଜ୍ୟରେ ୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରାଯାଉଛି । ୧୮୯ କୋଟି ବଜେଟରେ ନିର୍ମିତ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ ପାଇଁ କେନ୍ଦ୍ରୀୟ ଅନୁଦାନ ୧୧୩ କୋଟି ୬୦ ଲକ୍ଷ ଟଙ୍କା ରାଜ୍ୟକୁ ମିଳିସାରିଛି ।