ଏକ ନିଆରା ପ୍ରେମ କାହାଣୀ : ବିବାହ ବନ୍ଧନରେ ବାନ୍ଧିହେବେ ପ୍ରମୋଦିନୀ ଏବଂ ସରୋଜ

311

କୁହାଯାଏ ପ୍ରେମ ଶାଶ୍ବତ । ସମାଜର ସମସ୍ତ ଶୃଙ୍ଖଳ ଓ କଠୋର ଋଢ଼ିବାଦୀ ଚିନ୍ତାଧାରାର ସୀମା ସରହଦ ପାର କରି ଏହା ଲେଖେ ନୂଆ ଇତିହାସ । ଜାତି, ଧର୍ମ, ବର୍ଣ୍ଣ, ବୟସ ଓ ସୌନ୍ଦର୍ଯ୍ୟର ଊର୍ଧ୍ବକୁ ଯାଇ ହୃଦୟରୁ ଗଢ଼ା ହୁଏ ଏହି ସୁନ୍ଦର ସମ୍ପର୍କ । ଏଭଳି ପ୍ରେମର ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ ଭାବେ ଆସନ୍ତାକାଲି ବିବାହ ବନ୍ଧନର ଅତୁଟ ଡୋରିରେ ବାନ୍ଧି ହେବାକୁ ଯାଉଛନ୍ତି ଏସିଡ୍‌ ଆକ୍ରମଣରେ ପୀଡ଼ିତା ପ୍ରମୋଦିନୀ ରାଉଳ ଏବଂ ତାଙ୍କର ବନ୍ଧୁ ସରୋଜ ସାହୁ ।

ଏସିଡ୍‌ ଆକ୍ରମଣରେ ପ୍ରମୋଦିନୀଙ୍କ ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲେ ବି ତାଙ୍କ ହୃଦୟକୁ ଭଲ ପାଇଛନ୍ତି ସରୋଜ । ଆଉ ତାଙ୍କ କଷ୍ଟକୁ ବି ନିଜର କରି ନେଇଛନ୍ତି । ପ୍ରମୋଦିନୀଙ୍କ ଜୀବନ ସଂଗ୍ରାମରେ ସହଯୋଗର ହାତ ବଢ଼ାଇଛନ୍ତି । ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ନିଆରା ଯୋଡ଼ି ।

୨୦୦୯ ମସିହାରେ ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢ଼ୁଥିବା ସମୟରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ। କଲେଜ ନିକଟରେ ଯବାନମାନଙ୍କର ଏକ କ୍ୟାମ୍ପ ପଡ଼ିଥିଲା । ସେଥିରୁ ଜଣେ ଯୁବକ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରୁଥିଲେ ଓ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ । କିନ୍ତୁ ସେତେବେଳେ ପ୍ରମୋଦିନୀଙ୍କ ବୟସ ଖୁବ୍‌ କମ୍‌ ଥିବାରୁ ପ୍ରମୋଦିନୀ ଓ ତାଙ୍କ ପରିବାର ବର୍ଗ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । କିନ୍ତୁ ପ୍ରମୋଦିନୀଙ୍କୁ ଏହି ପ୍ରତ୍ୟାଖାନର ଭୟଙ୍କର ମୂଲ୍ୟ ଦେବାକୁ ପଡ଼ିଥିଲା ।

ଯୁବକ ଜଣକ ପ୍ରମୋଦିନୀଙ୍କ ଉପରକୁ ଏସିଡ୍‌ ଫିଙ୍ଗି ତାଙ୍କ ଚେହେରାକୁ ବିକୃତ କରି ଦେଇଥିଲା । ୨୦୦୯ ଏପ୍ରିଲ ୧୮ ତାରିଖରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ‌ କୋ‌ମାରେ ହିଁ ରହିଥିଲେ। ଏହା ପରେ ପ୍ରମୋଦିନୀ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ। ୨୦୧୬ ମସିହାରେ ସରୋଜଙ୍କ ସହ ତାଙ୍କର ଭେଟ ହୋଇଥିଲା । ସରୋଜ, ପ୍ରମୋଦିନୀଙ୍କର ଅବଶିଷ୍ଟ ଚିକିତ୍ସାରେ ସହଯୋଗ କରିବା ସହ ତାଙ୍କର ସେବାଯତ୍ନ ମଧ୍ୟ କରିଥିଲେ। ଏହି ସମୟରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ ।

୨୦୧୮ ମସିହା ଲକ୍ଷ୍ନୌ ଶିରୋଜ କାଫେରେ ଏକ ସମାରୋହରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ଏବେ ଉଭୟ ପରିବାରର ସ୍ବୀକୃତି ଓ ସାମାଜିକ ରୀତିନୀତିରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆସନ୍ତାକାଲି ଜଗତସିଂହପୁରସ୍ଥିତ ପ୍ରମୋଦିନୀଙ୍କ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହେବ ଏବଂ ଏକ ନିଆରା ପ୍ରେମର ନିଦର୍ଶନ ଦେଖିବାକୁ ମିଳିବ । ଚେହେରା ଜଳିଗଲେ ଜୀବନ ସରିଯାଏନି… ଏକଥା ପ୍ରମୋଦିନୀ ପ୍ରମାଣ କରିଥିବା ବେଳେ ସରୋଜଙ୍କ ଭଳି ଯୁବକଙ୍କ ଉନ୍ନତ ଚିନ୍ତାଧାରା ନିହାତି ଆମ ଯୁବପିଢ଼ିଙ୍କୁ ପ୍ରେରିତ କରିବ ବୋଲି ଆଶା ।