ଅଦରକାରୀ ଜିନିଷ ପାଉଛି ଜୀବନ୍ତ ରୂପ । ରଙ୍ଗତୂଳୀରେ ଜୀବନ୍ୟାସ ଦେଉଛନ୍ତି ଯାଜପୁର ମୁଗପାଳର ଛାତ୍ରୀ ଅଭିପ୍ସା ସ୍ୱାଇଁ

93

କନକ ବ୍ୟୁରୋ: ଅଦରକାରୀ ଜିନିଷ ସବୁ ଗୋଟାଇ ତିଆରି କରୁଛନ୍ତି ଭଳି କି ଭଳି ଚିତ୍ରକଳା । ସବୁ ଅବ୍ୟବହୃତ ଜିନିଷ ଏକାଠି କରି ସେଥିରେ ରଙ୍ଗତୂଳୀରେ ଦେଉଛନ୍ତି ନୂଆ ରୂପ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମୁଗୁପାଳ ଗ୍ରାମର ରତ୍ନାକର ସ୍ୱାଇଁଙ୍କ ଝିଅ ଅଭିପ୍ସା ସ୍ୱାଇଁ । ଛୋଟ ବେଳରୁ ଚିତ୍ର ପ୍ରତି ଦୁର୍ବଳତା ରହିଥିଲେ ମଧ୍ୟ ପରିବାରର ଆକଟ ଭିତରେ ପାଠପଢ଼ାକୁ ଗୁରୁତ୍ୱଦେଇ ଚିତ୍ରକଳା ଠାରୁ ଦୂରେଇ ଯାଇଥିଲେ । କିନ୍ତୁ ବର୍ତମାନ ସେ ପାଠପଢ଼ା ସହ ଚିତ୍ରକଳାକୁ ନିଶା ଭାବେ ବାଛିନେଇଛନ୍ତି । ଯୁକ୍ତ ତିନି ବିଜ୍ଞାନରେ ପଢୁଥିବା ବେଳେ ଚିତ୍ରକଳାକୁ ଗୁରୁତ୍ୱ ଦେଇଛନ୍ତି । ଘର ବାଡି ଏବଂ ଅନାବନା ଜାଗାରେ ପଡୁଥିବା ଅଦରକାରୀ ଜିନିଷକୁ ସଂଗ୍ରହ କରି ଆକର୍ଷଣୀୟ ଚିତ୍ରକଳା ପ୍ରସ୍ତୁତ କରିପାରୁଛନ୍ତି । ଯାହାକି ପରିବେଶ ସନ୍ତୁଳନର ସୁରକ୍ଷା ସହ ଘର ସାଜସଜ୍ଜାରେ ଲାଗି ପାରୁଛି । ତାଙ୍କ ସୁନ୍ଦର ଚିତ୍ରକଳାକୁ ମଧ୍ୟ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।

ଅଦରକାରୀ ସାମଗ୍ରୀ ଯେପରିକି ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ଓ କାଚ ବୋତଲ, ମେଡିସିନ ଖୋଳ, ନଡିଆ ସଢ଼େଇ , ଚା କପ, ଗୁଆ, କଉଡି ସହ ଘରର ଅଦରକାରୀ ଜନିଷକୁ ବ୍ୟବହାର କରି ସୁନ୍ଦରସୁନ୍ଦର ଚିତ୍ରରେ ସଜାଇ ପାରୁଛନ୍ତି । ଅଧିକାଂଶ ଚିତ୍ରରେ ସେ ପ୍ରଭୁ ଜଗନ୍ନାଥଙ୍କୁ ଚିତ୍ରିତ କରିଥିବାବେଳେ ଭଳିକି ଭଳି ଚିତ୍ର ଆଙ୍କି ସେ ଚର୍ଚ୍ଚାକୁ ଆସିଛନ୍ତି । ନିଜର ପ୍ରସ୍ତୁତି ଜିନିଷରେ ସେ ନିଜ ଘର ସଜାଇଥିବାବେଳେ ଏହାକୁ ଅନ୍ୟ ମାନଙ୍କୁ ଉପହାର ମଧ୍ୟ ଦେଉଛନ୍ତି । ଏପରି ଜିନିଷକୁ ସାଇତି ରଖିବା ପାଇଁ ପରିବାର ଲୋକ ଏକ ସ୍ୱତନ୍ତ୍ର ଘରର ବ୍ୟବସ୍ଥା କରିଛନ୍ତି । ଆଗାମୀ ଦିନରେ ପାଠପଢ଼ା ସହ ଓଡିଶାର ଏକ ଭଲ ଚିତ୍ର ଶିଳ୍ପୀହେବାକୁ ଆଶା ରଖିଛନ୍ତ ଅଭିପ୍ସା ।

ଚିତ୍ରକଳା ଜରିଆରେ ଅଳିଆ ସାମଗ୍ରୀ ଏବେ ପୁନର୍ବାର ଦରକାରୀ ପାଲଟି ଯାଉଛି । ଅଭିପ୍ସାଙ୍କ ଏପରି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଏକ ଶିକ୍ଷଣୀୟ ବାର୍ତ୍ତା ଦେଉଥିବାବେଳେ ଏପରି ପ୍ରୟାସ ପରିବେଶକୁ ଏକ ଆର୍ବଜନା ମୁକ୍ତ ସମାଜ ଗଠନରେ ବେଶ ସହାୟକ ହୋଇପାରିବ ।