ପେଶାରେ ଯନ୍ତ୍ରୀ, ନିଶା ସୌରମଣ୍ଡଳ ଉପରେ ଗବେଷଣା । ସୁଜିତ ମହାନ୍ତଙ୍କ ନିଆରା ପ୍ରୟାସ, ପିଲାଙ୍କୁ ଦେଉଛନ୍ତି ମାଗଣାରେ ସୌରଜଗତ ଶିକ୍ଷା

38

କନକ ବ୍ୟୁରୋ: ପେଶାରେ ସେ ଜଣେ ଯନ୍ତ୍ରୀ, ହେଲେ ନିଶା ତାଙ୍କର ଜ୍ୟୋର୍ତିବିଜ୍ଞାନ । ସେ ପିଲାଦିନେ ରାତିରେ ଜହ୍ନ ମାମୁଁ ଦେଖି ବେଶ ଖୁସି ହେଉଥିଲେ । ହେଲେ ସମୟ ବଢିବା ସହ ଏହା ତାଙ୍କର ଯେମିତି ଏକ ନିଶା ପାଲଟିଯାଇଛି । ନୀଳଗିରି ସାନଅତା ଗାଁ ଭଳି ଆଦିବାସୀ ଅଞ୍ଚଳରେ ଏବେ ଯୁବପୀଢିମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସୁଜିତ ମହାନ୍ତି ।

ପେଶାରେ ସୁଜିତ୍ ଜଣେ ଯନ୍ତ୍ରୀ ହୋଇଥିବା ବେଳେ ନିଶା ଏବେ ତାଙ୍କର ପିଲାମାନଙ୍କୁ ଜହ୍ନ ଓ ତାରା ଦେଖାଇବା । ଖୁବ ନିକଟରୁ ଗ୍ରହ ନକ୍ଷତ୍ର ସବୁ ଦେଖାଇବା ଏବେ ତାଙ୍କର ସଉକ ପାଲଟିଗଲାଣି । ପିଲାଙ୍କୁ ଏକାଠି କରି ସୌରଜଗତ ସମ୍ପର୍କରେ ବୁଝାଉଛନ୍ତି । ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ଘରକୁ ଆସ ଏହି ଗବେଷଣାରେ ଲାଗି ରହିଥିଲେ । ସୌରମଣ୍ଡଳରୁ ନେଇ ଜହ୍ନ ତାରା ଆଦି ସମ୍ପର୍କରେ ସୁନ୍ଦର ଭାବେ ବୁଝାଉଛନ୍ତି । ଏକ ଘରୋଇ ସଂସ୍ଥାରୁ ଟେଲିସ୍କୋପ କିଣି ସେଥିରେ ପିଲାଙ୍କୁ ମାଗଣାରେ ପାଖକୁ ଡାକି ଦେଇଛନ୍ତି ସୌରଜଗତ ସମ୍ବନ୍ଧୀୟ ଜ୍ଞାନ ।

ରାତିପାହିଲେ ସୁଜିତଙ୍କ ଘରେ ଲାଗୁଛି ଭିଡ । ସମସ୍ତେ ଏକାଠି ହୋଇଯାଉଛନ୍ତି ସୁଜିତଙ୍କ ଛାତ ଉପରେ । ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ମାନେ ଏକାଠି ହୋଇ ତାଙ୍କଠାରୁ ଗ୍ରହ ନକ୍ଷତ୍ର ସମ୍ପର୍କରେ ଜ୍ଞାନ ଆହରଣ କରୁଛନ୍ତି । ଗ୍ରହ ନକ୍ଷତ୍ର ଗତିବିଧି ଜାଣିବାକୁ ମଧ୍ୟ ପିଲାଙ୍କ ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ସୁଜିତଙ୍କ ଏହି କାମକୁ ମଧ୍ୟ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରୁଛନ୍ତି । ତେବେ ସୁଜିତଙ୍କ ଏହି ପ୍ରୟାସ ଦ୍ୱାରା ପିଲାଙ୍କୁ ଅନେକ ଶିକ୍ଷଣୀୟ ଜିନିଷ ଦେଖିବାକୁ ଓ ଜାଣିବାକୁ ମିଳୁଛି । ଯାହାକି ବେଶ ପ୍ରଶଂସା ଯୋଗ୍ୟ ହୋଇପାରିଛି ।