ଦିଲ୍ଲୀ ବିଧାନସଭାରେ ଟଙ୍କା ବିଡା ଦେଖାଇ ଦୁର୍ନୀତିର ପ୍ରତିବାଦ କଲେ ଆପ୍ ବିଧାୟକ । କହିଲେ, ପାୱାରଫୁଲ ବ୍ୟକ୍ତିମାନଙ୍କ ଠାରୁ ତାଙ୍କ ଜୀବନ ପ୍ରତି ରହିଛି ଭୟ

123

କନକ ବ୍ୟୁରୋ : ଆଜି ଦିଲ୍ଲୀ ବିଧାନସଭାରେ ଏପରି ଘଟିଛି ଯାହା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଚିନ୍ତାରେ ପକାଇଦେଇଛି । ଆପ୍ ଦଳର ଜଣେ ବିଧାୟକ ବିଧାନସଭାରେ ଟଙ୍କା ବିଡା ଦେଖାଇ ତାଙ୍କୁ ଜଣେ ଘରୋଇ କଂଟ୍ରାକ୍ଟର ଲାଂଚ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଛନ୍ତି । ସରକାରୀ ସିଟି ହସ୍ପିଟାଲର ଜଣେ କଂଟ୍ରାକ୍ଟର ତାଙ୍କୁ ଲାଂଚ ଯାଚିଥିବା ଆପ୍ ବିଧାୟକ ମହେନ୍ଦ୍ର ଗୋଏଲ କହିଛନ୍ତି । ରୋହିଣିରେ ଥିବା ବାବାସାହେବ ଆମ୍ବେଦକର ହସ୍ପିଟାଲରେ ଅସ୍ଥାୟୀ କର୍ମଚାରୀ ତଥା ଷ୍ଟାଫ୍ ନିଯୁକ୍ତି କ୍ଷେତରେ ଅନିୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଆପ୍ ବିଧାୟକ । ପାୱାରଫୁଲ ବ୍ୟକ୍ତିମାନଙ୍କ ପକ୍ଷରୁ ତାଙ୍କ ପ୍ରତି ଭୟ ରହିଛି ସେମାନେ ତାଙ୍କୁ ଚୁପ୍ କରିଦେବାକୁ ଚେଷ୍ଟା କରୁଥିବା କହିଛନ୍ତି ଏହି ଆପ୍ ବିଧାୟକ । ଯାହାକୁ ନେଇୁ ଆଜି ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟଗୋଳ ଦେଖିବାକୁ ମିଳିଛି । ଆପ ବିଧାୟକଙ୍କ ଏଭଳି ବୟାନ ପରେ ବିଜେପି ବିଧାୟକମାନେ ଆପକୁ ଘେରିଛନ୍ତି । ତେବେ ସମ୍ପୃକ୍ତ କଂଟ୍ରାକ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠୁଛି ।