ଡୋପ୍ ଟେଷ୍ଟରେ ଧରାପଡିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ରିପୋର୍ଟ ପଜିଟିଭ ଆସିବା ପରେ ଦୂତୀଙ୍କୁ ନିଲମ୍ବନ ସୂଚନା । ଏସିଆ କପରୁ ପଡ଼ିପାରନ୍ତି ବାଦ

368

କନକ ବ୍ୟୁରୋ: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ବଡ଼ ଝଟକା । ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଅନୁସାରେ ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଛି । ଡିସେମ୍ବର ୫ ତାରିଖରେ ଦୂତୀଙ୍କ ୟୁରିନ୍ ସାମ୍ପଲ ନିଆଯାଇଥିଲା । ନମୁନାରେ ସେ ନିଷିଦ୍ଧ ପଦାର୍ଥ ସେବନ କରିଥିବା ଜଣାପଡ଼ିଛି । ଫଳରେ ଦୂତୀ ଚାନ୍ଦଙ୍କ ଏସିଆଡ୍ ଗେମ୍ ଖେଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଦୂତୀଙ୍କ ନିଲମ୍ବନ ଆଦେଶ କେତେ ଦିନ ଯାଏଁ ରହିବ, ତାହା ସ୍ପଷ୍ଟ ହୋଇନାହିଁ । କାରଣ ଏପର୍ଯ୍ୟନ୍ତ ପୂରା ଯାଞ୍ଚ ରିପୋର୍ଟ ଆସିନାହିଁ । ଏପଟେ ଦୂତୀ ଚାନ୍ଦ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

  • ଅଲିମ୍ପିଆନ୍ ଦୂତି ଚାନ୍ଦ ସାମୟିକ ନିଲମ୍ବିତ!
  • ଡୋପ୍ ଟେଷ୍ଟରେ ଧରା ପଡିଥିବା ଚର୍ଚ୍ଚା

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା, ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦଙ୍କୁ ଶକ୍ତ ଧକ୍କା ଆଣିଦେଇଛି । କାରଣ ଆଗକୁ ଏସୀୟ କ୍ରୀଡ଼ା ଥିବାବେଳେ, ଅଲିମ୍ପିଆନ ଦୂତି ଡୋପ୍ ଟେଷ୍ଟରେ ଧରାପଡିଥିବା କୁହାଯାଉଛି । ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ହେଉଥିବା ନିୟମିତ ଟେଷ୍ଟରେ ସେ ଫେଲ ମାରିଛନ୍ତି । ସଂଗ୍ରହ କରାଯାଇଥିବା ନମୂନାରେ ‘ସିଲେକ୍ଟିଭ ଆଣ୍ଡୋଜେନ୍ ରିସେପ୍ଟର ମଡୁଲେଟସ’ର୍ ମିଳିଥିବା ଜଣାପଡିଛିି । ଯଦିଓ ଏଭଳି ଖବରକୁ ଦୂତି ଚାନ୍ଦ ଖଣ୍ଡନ କରିଛନ୍ତି । ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି-ୱାଡା ୱବସାଇଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ

  • ଡିସେମ୍ବର ୫ ତାରିଖରେ ଦୂତିଙ୍କ ୟୁରିନ ସାମ୍ପଲ ନିଆଯାଇଥିଲା
  • ନମୂନା ପରୀକ୍ଷା ପରେ ଦୂତୀ ନିଷିଦ୍ଧ ପଦାର୍ଥ ସେବନ କରିଥିବା ଜଣାପଡିଛି
  • ଏହି ନିଷିଦ୍ଧ ଉପାଦାନ ଏକପ୍ରକାର ଷ୍ଟେରଏଡ୍ ଭଳି କାମକରେ
  • ଯାହା କ୍ରୀଡ଼ା ପ୍ରତିଯୋଗୀଙ୍କ ସାମର୍ଥ୍ୟ ବୃଦ୍ଧି କରିବାରେ ସହାୟକ ହୁଏ
  • କ୍ରୀଡ଼ାବିତଙ୍କ ମାଂସପେଶୀ ଓ ହାଡକୁ ଅଧିକ ମଜଭୂତ କରିଥାଏ

ଡୋପ ଟେଷ୍ଟରେ ଫେଲ ମାରିବା ପରେ ଦୂତିଙ୍କୁ ସାମୟିକ ନିଲମ୍ବନ କରାଯାଇଛି । ଫଳରେ ସେ ଚଳିତ ବର୍ଷ ଏସିଆନ ଗେମ୍ସରୁ ବାଦ୍ ପଡ଼ିପାରନ୍ତି ବୋଲି ଆକଳନ କରାଯାଉଛି । ତେବେ ଦୂତିଙ୍କ ନିଲମ୍ବନ ଆଦେଶ କେତେ ଦିନ ଯାଏଁ ରହିବ, ତାହା ସ୍ପଷ୍ଟ ହୋଇନାହିଁ । କାରଣ ଏପର୍ଯ୍ୟନ୍ତ ପୂରା ଯାଞ୍ଚ ରିପୋର୍ଟ ମଧ୍ୟ ଆସିନାହିଁ ।

କ୍ରୀଡ଼ାବିତମାନେ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ଶକ୍ତି ବର୍ଦ୍ଧକ ସେବନ କରନ୍ତି । ତେଣୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ପୂର୍ବରୁ କ୍ରୀଡାବିତଙ୍କ ଡୋପ୍ ଟେଷ୍ଟ କରାଯାଏ । ବ୍ଲଡ ଓ ୟୁରିନ ସାମ୍ପଲ ସଂଗ୍ରହ କରି ପରୀକ୍ଷା କରିବାର ବ୍ୟବସ୍ଥା ରହିଛି ।

ଓଡିଆ ଧାବିକା ଦୂତି ଚାନ୍ଦଙ୍କ ଶରୀରରେ ପୁରୁଷ ହର୍ମୋନର ମାତ୍ରା ଅଧିକ ଥିବା ଦର୍ଶାଇ ୨୦୧୪ ସେପ୍ଟେମ୍ବରରେ ତାଙ୍କୁ ବ୍ୟାନ୍ କରାଯାଇଥିଲା । ହେଲେ ଏହି ନିଷେଧାଜ୍ଞା ବିରୋଧରେ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ- କାସକୁ ଯାଇଥିଲେ ଦୂତି । ମାମଲା ଲଢିବା ପାଇଁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ୨୦୧୫ ଜୁଲାଇରେ ତାଙ୍କୁ ଅନ୍ତର୍ଜାତୀୟ ସଂସ୍ଥା କ୍ଲିନଚିଟ୍ ଦେଇଥିଲେ । ଶରୀରରେ ଅଧିକ ଟେଷ୍ଟୋଷ୍ଟରେନର ମାତ୍ରା ଦୂତିଙ୍କୁ ପ୍ରତିଯୋଗିତା ବିଜୟରେ କୌଣସି ସହାୟତା କରିନଥିବା କାସ୍ ମତ ରଖିଥିଲେ । ତା ପରଠାରୁ ଦୂତି ଏକାଧିକ ପ୍ରତିଯୋଗିତାରେ ୧୦୦ ଓ ୪୦୦ ମିଟର ଦୌଡରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଏପରିକି ଅଲିମ୍ପିକ୍ସରେ ମଧ୍ୟ ଭାରତ ପାଇଁ ଦୌଡିଛନ୍ତି ଦୂତି । ହେଲେ ଏବେ ପୁଣି ବିବାଦ ଘେରକୁ ଆସିଛନ୍ତି ଏହି ଓଡିଆ ଧାବିକା ।