କୁକୁର କାମୁଡାରେ ରକ୍ତାକ୍ତ ହେଲେ ବାଳକ। ତେଜିଲା ବିବାଦ, ଥାନାରେ ପହଞ୍ଚିଲା ମାମଲା।

231

କନକ ବ୍ୟୁରୋ: ଗତ ସପ୍ତାହରେ ନିଜ କଲୋନୀ ଭିତରେ ଖେଳୁଥିଲେ ଅର୍ଜୁନ । ହଠାତ ଶୁଭିଲା ଚିକ୍ରାର । ଦେଖିଲା ବେଳକୁ ରକ୍ତରେ ଜୁଡୁବୁଡୁ ହୋଇସାରିଥିଲେ କୁନି ଛୁଆ । ପୋଷା କୁକୁର କାମୁଡାରେ ଲହୁଲୁହାଣ ହୋଇଥିଲେ ଶିଶୁ ଜଣକ । କୁକୁର କାମୁଡାରେ ଆହାତ ହେଲା ପରେ ନିଆଗଲା ଡାକ୍ତରଖାନା । ଅର୍ଜୁନ ଗୁରୁତର ଥିବା କହିଲେ ଡାକ୍ତର, ଆଉ ଚାଲିଲା ଚିକିତ୍ସା ।

ଏହି ଘଟଣା ପରେ ଭୟରେ ସାରା ପରିବାର । କୁକୁର ଭୟରେ ଘରୁ ବାହାରୁ ନାହିଁ ଅର୍ଜୁନ । କୁକୁରର ଭୋକିବା ସ୍ୱର ଶୁଣିଲେ ଡରିଯାଉଛି ସିଏ । ଆଉ ପୁଅର ଅବସ୍ଥା ଦେଖି ମା ଆଖିରୁ ବି ଶୁଖୁନାହିଁ ଲୁହ । ଅର୍ଜୁନଙ୍କୁ କାମୁଡିଥିବା କୁକୁରଟି ଗୋଟିଏ ପୋଷା କୁକୁର । କୁକୁରର ମାଲିକ କୁକୁର ବୁଲାଉଥିବାବେଳେ ହିଁ ଅର୍ଜୁନଙ୍କୁ କୁକୁର କାମୁଡିଥିବା ଅର୍ଜୁନଙ୍କ ମା କହିଛନ୍ତି । ଏଥିପାଇଁ କୁକୁର କଲୋନୀ ଭିତରେ ରହିଲେ ଅନେକ ବିପଦ ଥିବା ସେ ଆଶଙ୍କା କରିଛନ୍ତି । କେବଳ ସୁଚେତା ମହାନ୍ତି ନୁହଁ, ପାଖ ପଡିଶା ଘରର ଅନେକ ଲୋକ କୁକୁର ଭୟରେ ଆତଙ୍କିତ ଅଛନ୍ତି । ପିଲାମାନେ ଘରୁ ବାହାରିଲେ ଡରୁଛନ୍ତି ।

କୁକୁରକୁ କଲୋନୀରୁ ବାହାର କରିବା ପାଇଁ ଭୁବନେଶ୍ୱର ଇନଫୋସିଟି ଥାନାରେ ପହଞ୍ଚିଛି ମାମଲା । ତେବେ ଏନେଇ ଆମେ କୁକୁରର ମାଲିକଙ୍କ ସହ କଥା ହୋଇଥିଲୁ । କଲୋନୀ ଲୋକ ଯାହା ସର୍ତ ରଖିବେ ତାହା ମାନିବାକୁ ରାଜି ଥିବା ସେ କହିଛନ୍ତି । କିନ୍ତୁ କୁକୁରକୁ ଅନ୍ୟତ୍ର ଛାଡିବେ ନାହିଁ ବୋଲି କହିଛନ୍ତି । ଆବଶ୍ୟକ ପଡିଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା ଏହି କୁକୁର ପ୍ରଥମ ଥର ଏଭଳି ଆକ୍ରମଣ କରିଛି ତାହା ନୁହଁ , ଏହା ପୂର୍ବରୁବି ଅନେକ ଏହି କୁକୁରର ଆକ୍ରମଣର ଶିକାର ହୋଇଛନ୍ତି । କୁକୁରଟି ଥିଲେ ପ୍ରତି ମୁହୂର୍ତ୍ତରେ ବିପଦ ରହିଥିବା କହିଛନ୍ତି ।